ମରଣୋତ୍ତର ଭାବେ ‘କର୍ଣ୍ଣାଟକ ରତ୍ନ’ ରେ ସମ୍ମାନୀତ ହେବେ ଅଭିନେତା ପୁନିଥ ରାଜକୁମାର ।

196

କନକ ବ୍ୟୁରୋ: କନ୍ନଡ ଅଭିନେତା ପୁନିଥ ରାଜକୁମାର ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛନ୍ତି । ଏବେ ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । କର୍ଣ୍ଣାଟକ ସରକାର ସ୍ୱର୍ଗତ ଅଭିନେତାଙ୍କୁ ମରଣୋତ୍ତର ଭାବେ ‘କର୍ଣ୍ଣାଟକ ରତ୍ନ’ ରେ ସମ୍ମାନୀତ କରିବାକୁ ଘୋଷଣା କରିଛନ୍ତି ।

ଏହି ଘୋଷଣା ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କରିଛନ୍ତି । ସେ କହିଛନ୍ତି ଚଳିତ ବର୍ଷ ରାଜ୍ୟ ସ୍ଥାପନା ଦିବସରେ କନ୍ନଡ ଫିଲ୍ମ ଷ୍ଟାର ସ୍ୱର୍ଗତ ପୁନିତ ରାଜକୁମାରଙ୍କୁ ମରଣୋତ୍ତର ଭାବେ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ କରାଯିବ ।

 ଲାଲବାଗ ଗ୍ଲାସ୍ ହାଉସରେ ଫ୍ଲାୱାର ଶୋ’ ଉଦଘାଟନ କରିବା ପର ମୁଖ୍ୟମନ୍ତ୍ରୀ ବୋମ୍ମଇ କହିଥିଲେ ନଭେମ୍ବର ୧ରେ କନ୍ନଡ ଫିଲ୍ମ ଷ୍ଟାର ଡ. ପୁନିଥ ରାଜକୁମାରଙ୍କୁ ଏହି ପୁରସ୍କାର ଦେବାକୁ ସ୍ଥିର କରାଯାଇଛି । ପୁରସ୍କାର ବିତରଣ ସମାରୋହରେ ପ୍ରସ୍ତୁତି ପାଇଁ ଏକ ସମିତି ଗଠନ କରାଯିବ । ପୁନିଥଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମିତିରେ ସାମିଲ କରାଯିବ । ଆମେ ସମସ୍ତେ ମିଶି ପୁନିଥଙ୍କୁ ଖୁବ୍ ସମ୍ମାନଜନକ ଭାବେ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟର ସର୍ବୋଚ୍ଚ ନାଗରିକ ସମ୍ମାନ ପୁରସ୍କାର ପାଇବାରେ ପୁନିଥ ଦଶମ ପ୍ରାପ୍ତକର୍ତ୍ତା ହେବେ । ସୂଚନାଯୋଗ୍ୟ. ୨୦୨୧ ଅକ୍ଟୋବର ୨୯ ରେ ମାତ୍ର ୪୯ ବର୍ଷ ବୟସରେ ହୃଦଘାତରେ ପୁନିଥଙ୍କର ପରଲୋକ ହୋଇଥିଲା ।