ଆଜିଠୁ ୭୭ ବର୍ଷ ପୂର୍ବେ.. ଅର୍ଦ୍ଧେକ ସହରରେ ହୋଇଥିଲା ମୃତ୍ୟୁର ବର୍ଷା

260

କନକ ବ୍ୟୁରୋ: ନିଜ ନିଜର ସ୍ୱାର୍ଥ ପାଇଁ ଆଜି ଦେଶ ଦେଶ ମୁହାଁ ମୁହିଁ ହେଉଛନ୍ତି । ଋଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଘଟିନଥିବାବେଳେ ଏବେ ଚୀନ୍ ତାଇୱାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି । କିନ୍ତୁ ୭୭ ବର୍ଷ ତଳର ସେ ଇତିହାସ ଯାହା ସବୁବେଳେ ଏ ମଣିଷ ଜାତିକୁ ମନେ ପକାଇଦିଏ ଯୁଦ୍ଧ କରି କାହାକୁ କ’ଣ ମିଳିଛି । ଆଜିବି ଜଳ ଜଳ ହୋଇ ମନେପଡେ ସେ କଳା ଦିନ ଯେବେ ନିଜର ଘୃଣ୍ୟ କ୍ଷମତାକୁ ପ୍ରମାଣ କରିବାକୁ ଯାଇ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଲା । ଆଉ ଏହାପରେ ଚାହୁଁ ଚାହୁଁ ଲୋକେ ଜଳିପୋଡି ପାଉଁଶ ହୋଇଗଲେ ।

୧୯୪୫ ଅଗଷ୍ଟ ୬ ତାରିଖକୁ ସମଗ୍ର ବିଶ୍ୱ ‘ହିରୋସିମା ଦିବସ’ ଭାବେ ଜାଣେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମରିକା ଜାପାନର ଦୁଇ ସହର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ନିକ୍ଷେପ କଲା । ପ୍ରଥମ ବୋମା ଅଗଷ୍ଟ ୬ ତାରିଖରେ ହିରୋସିମା ସହର ଉପରେ ପକାଇଲା, ଯାହାର ନାଁ ଥିଲା’ଲିଟିଲ ବୟ’ । ସେହିପରି ଠିକ୍ ଏହାର ୩ ଦିନ ପରେ ଅଗଷ୍ଟ ୯ରେ ନାଗାସାକି ସହର ଉପରେ ‘ଫ୍ୟାଟମ୍ୟାନ୍’ ନାମକ ପରମାଣୁ ବୋମା ପକାଇଲା ଆମେରିକା । ଫଳରେ ସହରର ତାପାମାତ୍ରା ହଠାତ୍ ୪୦୦୦ ଡିଗ୍ରୀ ସେଲସିଅସ୍ କୁ ବଢିଗଲା । ଚାହୁଁ ଚାହୁଁ ସହରର ଅଧାରୁ ଅଧିକ ଅଂଶ ଜଳିପୋଡି ପାଉଁଶ ହୋଇଗଲା । ୮୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେ, ୩୦ ହଜାରରୁ ଅଧିକ ଲୋକ ଅପାରଗ ହୋଇଗଲେ ।

ସେହି ଦୁଃଖଦ ମୁହୂର୍ତ୍ତକୁ ମନେପକାଇବା ସହ ମୃତକଙ୍କୁ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ୧୯୪୫ରେ ଆମେରିକା ଓ ଜାପାନ ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଥିଲା । ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ହେରି ଟ୍ରୁମ୍ୟାନ୍ ଚେତାବନୀ ଦେଇଥିଲେ ଯେ, ଜାପାନ ଯଦି ଆତ୍ମସମର୍ପଣ ନକରିବ ତାହାଲେ ପରମାଣୁ ବୋମା ନିକ୍ଷେପ କରାଯାଇ ସହରକୁ ଧ୍ୱଂସ କରିଦିଅଯିବ । ମାତ୍ର ଜାପାନ ଆମେରିକାର କୌଣସି କଥାକୁ ଭ୍ରୁକ୍ଷେପ କରିନଥିଲା । ଶେଷରେ ଆମେରିକା ବୋଇଂ- ବି-୨୯ରୁ ନିକ୍ଷେପ କରିଥିଲା ପରମାଣୁ ବୋମା । ଏହାପରେ ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ଘଟଣା ପରଠୁ ବିଶ୍ୱରେ ପରମାଣୁ ବୋମା ବ୍ୟବହାର କରାଯାଇନାହିଁ ।