୨୦ ଟଙ୍କାରେ ଚିକିତ୍ସା ଦେଉଥିବା ଡାକ୍ତରଙ୍କୁ ମିଳିବ ପଦ୍ମଶ୍ରୀ. ଜାଣନ୍ତୁ କିଏ ଏହି ଡାକ୍ତର?

192

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମସମ୍ମାନ ଘୋଷଣା କରାଯାଇଛି । ୧୦୬ଜଣଙ୍କୁ ଏହି ସମ୍ମାନଜନକ ପଦ୍ମସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହି ତାଲିକାରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉମାନେ ନିଜ କାମ ପାଇଁ ପୁରସ୍କୃତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଥିବା ଡାକ୍ତର ମୁନିଶ୍ୱର ଚନ୍ଦର ଡାବର ମଧ୍ୟ ପଦ୍ମସମ୍ମାନ ପାଇବା ପାଇଁ ଯାଉଛନ୍ତି । ସେନାରୁ ଅବସର ପରେ ସେ ମଧ୍ୟପ୍ରଦେଶର ଜବଲପୁରରେ ରହୁଥିଲେ । ଏଠାରେ ସେ ଗରିବଙ୍କ ପାଇଁ ନିଜସ୍ୱ କ୍ଲିନିକ ଆରମ୍ଭ କରିଥିଲେ ।

ଡାକ୍ତର ମୁନିଶ୍ୱର ଚନ୍ଦର ଡାବର ଅବସର ପରେ ଡାବର କି ଦବା ନାଁରେ ଜବଲପୁରରେ ଏକ କ୍ଲିନିକ ଖୋଲିଥିଲେ । ଏଠାରେ ସେ ମାତ୍ର ୨୦ ଟଙ୍କାରେ ଲୋକଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରୁଥିଲେ । ତେବେ କେବଳ ଏତିକି ନୁହେଁ ଯାହାଙ୍କ ପାଖରେ ଫିସ୍ ଦେବାପାଇଁ ପଇସା ନାହିଁ ସେମାନେ ମାଗଣାରେ ଚିକିତ୍ସା ପାଇପାରିବେ । ଲୋକମାନେ ଡାକ୍ତରଙ୍କୁ ସେମାନଙ୍କ ଦେହ ଦେଖାଇବାକୁ ଆସିଥାନ୍ତି ଏବଂ ଇଚ୍ଛା ଅନୁସାରେ ଫି ଦେଇଥାନ୍ତି ।

ପଦ୍ମଶ୍ରୀରେ ସମ୍ମାନିତ ହେବାକୁ ଯାଉଥିବା ଡାକ୍ତର ଡାବର ସେନାରେ ଅନେକ ସମୟ ଧରି ସେବା ଦେଇଥିଲେ । ୧୯୭୧ ମସିହାରେ ପାକିସ୍ତାନର ବିରୋଧରେ ହୋଇଥିବା ଯୁଦ୍ଧରେ ସାମିଲ ହୋଇଥିଲେ । ଯୁଦ୍ଧ ସମୟରେ ସୈନିକଙ୍କ ସହ ସୀମାରେ ସେ ଉପସ୍ଥିତ ରହି ସେମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଥିଲେ ।

ଜବଲପୁରରେ ‘ଡାବର କି ଦବା’ ନାଁରେ ଖୋଲିଥିବା କ୍ଲିନିକକୁ ବିଭିନ୍ନ ସ୍ଥାନରୁ ଲୋକେ ଆସିଥାନ୍ତି । ଏହି କ୍ଲିନିକରେ ପ୍ରତ୍ୟେକ ସମୟରେ ଭିଡ ଦେଖିବାକୁ ମିଳିଥାଏ । ଅନେକ ବର୍ଷ ଯାଏ ଶସ୍ତାରେ ଗରିବଙ୍କୁ ଏହା ଚିକିତ୍ସା ସେବା ପ୍ରଦାନ କରିଆସୁଛି । ୨୦୧୦ ମସିହାରେ ଡାକ୍ତର ଡାବର ୨ ଟଙ୍କା ଫି ନେଉଥିଲେ । ମାଗଣାରେ ଚିକିତ୍ସା ଦେଉଥିବା ୭୮ ବର୍ଷୀୟ ଡାକ୍ତର ଡାବର ନିଶାମୁକ୍ତି ଅଭିଯାନ ମଧ୍ୟ ଚଳାଉଛନ୍ତି । କ୍ଲିନିକକୁ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ସେ ନିଶାଠାରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ସେହିଭଳି ଫୋନରେ ମଧ୍ୟ ସେ ନିଶାମୁକ୍ତି ଅଭିଯାନକୁ ରୋକିବା ପାଇଁ ପ୍ରୟାସ କରିଚାଲିଛନ୍ତି ।