ଲାଲୁଙ୍କ ଝିଅ ମିସା ଭାରତୀଙ୍କ ବୟାନକୁ ନେଇ ବଡ଼ ବିବାଦ । ମିସା କହିଲେ ଇଣ୍ଡିଆ ମେଂଟ କ୍ଷମତାକୁ ଆସିଲେ ଜେଲ୍ ଯିବେ ମୋଦୀ

510

କନକ ବ୍ୟୁରୋ : ନିର୍ବାଚନୀ ମାହୋଲ ଭିତରେ ରାଜନୈତିକ ବୟାନବାଜି ଜୋର ଧରିଛି । ଏସବୁ ଭିତରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ଆରଜେଡି ନେତ୍ରୀ ମିସା ଭାରତୀଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି । ମିସା କହିଛନ୍ତି ଯେ, “ମୋଦୀ ଯେତେବେଳେ ବିହାର ଆସୁଛନ୍ତି, ସେତେବେଳେ ତାଙ୍କ ପରିବାରକୁ ଟାର୍ଗେଟ କରୁଛନ୍ତି । ଯଦି ଦେଶବାସୀ ଇଣ୍ଡିଆ ମେଂଟକୁ କ୍ଷମତାକୁ ଆଣନ୍ତି, ତାହେଲେ ମୋଦୀ ଓ ବିଜେପି ନେତାମାନେ ଜେଲ୍ ଯିବେ’ । ଏହାସହ ଲାଲୁଙ୍କ ଝିଅ ଆହୁରି ଅଭିଯୋଗ ଆଣିଛନ୍ତି ଯେ, “ମୋଦୀ ରାଜନୀତିରେ ପରିବାରବାଦ ବିରୋଧରେ ସବୁବେଳେ କହୁଛନ୍ତି, ହେଲେ ବିଜେପିରେ ଥିବା ପରିବାରବାଦ ପ୍ରତି ମୋଦୀ ଆଖିବୁଜି ଦେଉଛନ୍ତି’ ।

ମିସା ଭାରତୀଙ୍କ ବୟାନକୁ ନେଇ କଡ଼ା ଜବାବ ରଖିଛି ବିଜେପି । ଦଳ କହିଛି ଯେ, ଏହା ବିରୋଧୀଙ୍କ ହତାଶପଣକୁ ଦେଖାଉଛି । ଦୁର୍ନୀତିଗ୍ରସ୍ତମାନେ ଜେଲ୍ ଯିବା ଉଚିତ ବୋଲି ଦେଶବାସୀ ଚାହୁଁଛନ୍ତି  । ବିରୋଧୀ ନେତାମାନେ ଏତେ ତଳସ୍ତରକୁ ଆସି କଥା କହିବା ସେମାନଙ୍କ ହତାଶପଣକୁ ପ୍ରମାଣ କରୁଛି । ଏହାସହ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ମିସା ନିଜ ନାଁ ବଦଳାଇବା ଆବଶ୍ୟକ । କାରଣ କଂଗ୍ରେସ ମେଂଟେନାନ୍ସ ଅଫ୍ ଇଂଟରନାଲ ସିକ୍ୟୁରିଟି ଆକ୍ଟ ମିସା ବଳରେ ଲାଲୁଙ୍କୁ ଜେଲରେ ପୁରାଇଥିଲା, ଆଉ ଏହାକୁ ବିରୋଧ କରି ଲାଲୁ ନିଜ ଝିଅର ନାଁ ମିସା ଭାରତୀ ରଖିଥିଲେ । ଏହାସହ କଂଗ୍ରେସକୁ ଧ୍ୱଂସ କରିବାକୁ ଲାଲୁ ସେତେବେଳେ ଶପଥ ନେଇଥିଲେ । ମିସା ନିଜ ବାପାଙ୍କ ଶପଥକୁ ପରିହାସ କରୁଛନ୍ତି କି ବୋଲି ବିଜେପି ପ୍ରଶ୍ନ କରିଛି ।

ଗତ ସପ୍ତାହରେ ଆରଜେଡି ଲୋକସଭା ନିର୍ବାଚନ ପାଇଁ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ମିସା ଭାରତୀଙ୍କୁ ପାଟଳିପୁତ୍ରରୁ ପ୍ରାର୍ଥୀ କରାଯାଇଛି ।