ନିର୍ବାଚନୀ ରାଲିରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ । କହିଲେ, ଶକ୍ତିଶାଳୀ ଭାରତ ଘରେ ପଶି ଆତଙ୍କବାଦୀଙ୍କୁ କରୁଛି ନିପାତ

119

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ନିସ୍ତାର ନାହିଁ । ଆତଙ୍କୀଙ୍କ କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବନି ଭାରତ । ବରଂ କଠୋର ହସ୍ତରେ ଦମନ କରୁଛି । ଆତଙ୍କୀଙ୍କୁ ସେମାନଙ୍କ ଘରେ ପଶି ମାରୁଛି ଭାରତ । ଉତରାଖଣ୍ଡରେ ଏକ ନିର୍ବାଚନୀ ରାଲି ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ଆହୁରି କହିଛନ୍ତି ଦେଶରେ ଏବେ ଦୃଢ଼ ସରକାର ରହିଛି । ଏବେ ଆତଙ୍କୀଙ୍କୁ ସେମାନଙ୍କ ଘରେ ପଶି ନିପାତ କରାଯାଉଛି । ଏହାସହ ୭ ଦଶନ୍ଧି ପରେ ଜମ୍ମୁକାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରାଯାଇଛି । ତିନି ତଲାକକୁ ମଧ୍ୟ ତାଙ୍କରି ସରକାର ହିଁ ଶେଷ କରିଦେଇଛି ବୋଲି ମୋଦୀ କହିଛନ୍ତି ।

ନିର୍ବାଚନୀ ରାଲିରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଅମଳରେ କେନ୍ଦ୍ରରେ ଦୁର୍ବଳ ସରକାର ଥିଲା, ଆଉ ଏହାର ଫାଇଦା ନେଉଥିଲେ ଦେଶର ଶତ୍ରୁ । କଂଗ୍ରେସ ଅମଳରେ ସୈନିକଙ୍କ ପାଇଁ ବୁଲେଟପ୍ରୁଫ ଜାକେଟ ବି ନଥିଲା । ହେଲେ ତାଙ୍କ ସରକାର ଦେଶର ସୁରକ୍ଷାକୁ ସୁଦୃଢ଼ କରିଛି ବୋଲି କହିଛନ୍ତି ମୋଦୀ । ସେପଟେ ଚୀନ୍ ପ୍ରସଙ୍ଗ ଉଠାଇ ମୋଦୀ ସରକାରକୁ ସମାଲୋଚନା କରିଛି କଂଗ୍ରେସ ।

ଏପ୍ରିଲ ୧୯ରେ ଉତରାଖଣ୍ଡରେ ୫ଟି ଲୋକସଭା ଆସନ ସହ ବିଧାନସଭା ପାଇଁ ନିର୍ବାଚନ ହେବ । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଉତରାଖଣ୍ଡର ୫ଟି ଯାକ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା ।