ବିଜେପିର କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । ଶାଣିତ ଆକ୍ରମଣ ସହ ନିର୍ବାଚନ ସଭାରେ ରଣହୁଙ୍କାର । ନବୀନ କହିଲେ, ପଡିବନି ପ୍ରଭାବ

625

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ମଇଦାନରେ ୩ ପ୍ରମୁଖ ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେପିର ପ୍ରଧାନମନ୍ତ୍ରୀ ଓ କଂଗ୍ରେସର ମଲିକାର୍ଜୁନ ଖଡଗେ ଆସି ପ୍ରଚାର କରୁଛନ୍ତି । କିନ୍ତୁ ସବୁ ପ୍ରଚାରକୁ ବଳିଯାଇଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର । ବିଜେପିରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଘନଘନ ଗସ୍ତ, ପଶ୍ଚିମବଙ୍ଗ ପରେ ଓଡିଶା ନଜର ପକାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

  • ବିଜେପିର ନୂଆ ରଣନୀତି
  • କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା

୨୦୧୯ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଯେପରି ରଣହୁଙ୍କାର ଦେଇଥିଲା, ଚଳିତ ନିର୍ବାଚନରେ ସେପରି ଓଡ଼ିଶା ଉପରେ ଫୋକସ କରିଛି ଦଳ । ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ସପ୍ତାହକ ମଧ୍ୟରେ ଦୁଇ ଥର ଗସ୍ତ ପରେ ପୁଣି ଆସନ୍ତା ୧୯ ତାରିଖରେ ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦୀ । ଦୁଇ ଦିନିଆ ଗସ୍ତ ସମୟରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବେ । କିଛି ଦିନ ଭିତରେ ୩ ଥର ଓଡ଼ିଶାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ ।

୧୯ ତାରିଖ ରାତିରେ ରାଜ୍ୟ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା କରିବେ । ୨୦ ତାରିଖ ସକାଳେ ଜଗନ୍ନାଥଙ୍କ ଦର୍ଶନ ପରେ ପୁରୀରେ ବିଶାଳ ରୋଡ ସୋ’ କରିବେ ମୋଦୀ । ଏହାପରେ ଅନୁଗୁଳ ଏବଂ କଟକରେ ବିଶାଳ ଜନସଭାରେ ସାମିଲ ହେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶାର ନିର୍ବାଚନ ତାତିକୁ ବଢ଼ାଇ ଦେଇଛି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପୂରା ଦମ୍ ଲଗାଇ ଦେଇଛି ଦଳ । ସିଧା ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି । ଓଡ଼ିଶାର ଅସ୍ମିତା କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରୁଛି ବିଜେପି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ପୂରା ଦମ୍ ଲଗାଇ ଦେଇଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦଳର ଫୋକସ ଆହୁରି ବଢିଯାଇଛି । ତେବେ ଦଳ କାହିଁକି ଏପରି ଆଭିମୁଖ୍ୟ ଆପଣାଇଲା, ସେ ନେଇ ଆରମ୍ଭ ହୋଇଛି ଆଲୋଚନା । ଏନେଇ ଭିନ୍ନ ଭିନ୍ନ କାରଣ ନେଇ ଆକଳନ କରୁଛନ୍ତି ସମୀକ୍ଷକ । କୁହାଯାଉଛି…

୪୦୦ ପାର ପାଇଁ ଓଡ଼ିଶା ଭରସା!

  • ୪୦୦ ପାର୍ ନାରା ସଫଳ ପାଇଁ ଜୋରଦାର ଉଦ୍ୟମ
  • ଜାତୀୟ ସମୀକରଣରେ କିଛି ଗଡ଼ବଡ଼ ଆଶଙ୍କା
  • ଓଡ଼ିଶାରେ ନୂଆ ସମ୍ଭାବନା ଦେଖୁଛି ବିଜେପି
  • ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଉତ୍ସାହ ଆହୁରି ବଢିଯାଇଛି

ଗୋଟିଏ ପଟେ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ଦଳୀୟ ପ୍ରଚାରର ଗିୟର ବଦଳାଇ ଦେଇଛନ୍ତି । ଅନ୍ୟପଟେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଓଡ଼ିଶା ଆସିଥାନ୍ତି କେନ୍ଦ୍ରୀୟ ନେତା । ଓଡ଼ିଶାବାସୀଙ୍କୁ ଏମାନେ ପ୍ରଭାବିତ କରିପାରିବେନି । କିଛି ନେତା ଅପଶବ୍ଦ ବ୍ୟବହାର କରୁଛନ୍ତି, ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ । ସେହିପରି ବିଜେଡି ନେତା ଭିକେ ପାଣ୍ଡିଆନ୍ ମଧ୍ୟ ଏ ନେଇ ସମାନ ପ୍ରତିକ୍ରିୟା ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ବିଜେଡି-ବିଜେପି ମଧ୍ୟରେ ଟକ୍କର ଜୋରଦାର ହେବାରେ ଲାଗିଛି । ଶୀର୍ଷ ନେତୃତ୍ୱ ସ୍ତରରେ ନେତା ଯେତିକି ଦମ୍ ଲଗାଉଛନ୍ତି, ତା’ର ପ୍ରତିଫଳନ ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଛି ।