ଖରିଫ ରୁତୁରେ ହ୍ରାସ ପାଇବ ଚାଉଳ ଉତ୍ପାଦନ । ୪ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ, ୩୮ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ

210

କନକ ବ୍ୟୁରୋ : ଖରିଫ ଋତୁରେ ଚାଉଳ ଉତ୍ପାଦନ ପାଖାପାଖି ୧୦ ରୁ ୧୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ପ୍ରମୁଖ ଚାଉଳ ଉତ୍ପାନକାରୀ ରାଜ୍ୟ ଉତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ତେଣୁ ଏଠାକାର ଚାଷ କାର୍ଯ୍ୟ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଏହା ଯୋଗୁଁ ଚାଉଳ ଉତ୍ପାଦନ କମିବା ଆଶଙ୍କା ବୃଦ୍ଧି ପାଇଛି ।

୨୦୨୧-୨୨ରେ ଭାରତରୁ ୩.୯ ନିୟୁତ ଖୁଦ ରପ୍ତାନି
ଯାହାର ୪୧ ପ୍ରତିଶତ ଚୀନ କିଣିଥିଲା
ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଖୁଦ ଚାଉଳ ରପ୍ତାନୀ ୪୧୭୮% ବୃଦ୍ଧି
ସରକାର ଏହାର ରପ୍ତାନୀ ଉପରେ ନିଷିଦ୍ଧ ନିଷ୍ପତି ଗ୍ରହଣ କରିଛନ୍ତି

ସେପଟେ ଗୁରୁବାର ଠୁ ଦେଶର କୁକୁଡ଼ା ଦାନା ମୂଲ୍ୟରେ ବୃଦ୍ଧି ଓ ରପ୍ତାନି ଚାହିଦା ବଢ଼ିବା କାରଣରୁ ଖୁୁଦ ଚାଉଳର ରପ୍ତାନିକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଏହି ଖୁଦଗୁଡ଼ିକୁ ବିଶେଷ କରି କୁକୁଡ଼ା ଦାନା ତିଆରି ଲାଗି ବ୍ୟବହାର କରାଯାଏ । ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଗୋଦାମରୁ ଇଥାନଲ ଉତ୍ପାଦନ ପାଇଁ ମଧ୍ୟ ଅଧିକ ଚାଉଳ ବ୍ୟବହାର ହେଉନଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି । ରପ୍ତାନୀ କଟକଣା ପରେ ଯେଉଁ ଖୁଦ ଚାଉଳ ଦେଶ ଭିତରେ ରହିବ ତାହା ଇଥାନଲ ଉତ୍ପାଦନ ଲାଗି ବ୍ୟବହାର କରାଯିବ ।

୨୦୨୧-୨୨ରେ ଇଥାନଲ ଉତ୍ପାଦନ ପାଇଁ ଏଫସିଆଇ ଗୋଦାମରୁ ୮୧ ହଜାର ଟନ ଖୁଦ ଚାଉଳ ବଂଟନ
୨୦୨୨ ଅଗଷ୍ଟ ସୁଦ୍ଧା ତାହା ୧.୪ ନିୟୁତ ଟନକୁ ବୃଦ୍ଧି
ଖୋଲା ବଜାରରେ ଖୁଦ ଚାଉଳର ଅଭାବ ଦେଖାଦେଇଛି

ଦେଶରେ ଚାଉଳର ମୂଲ୍ୟ ବୃଦ୍ଧିକୁ ନଜରରେ ରଖି ସରକାର କେତେକ ନିର୍ଦ୍ଧିଷ୍ଟ ପ୍ରକାର ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଟିକସ ଲାଗୁ କରିଛନ୍ତି । ଭାରତର ଖାଦ୍ୟଶସ୍ୟର ଚାହିଦା ବଢ଼ୁଥିବାବେଳେ ଭାରତ ନିଜ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ଚିନ୍ତା କରି ରପ୍ତାନି ନିଷିଦ୍ଧ,ଟିକସ ଓ କଟକଣା ଆଦି ପଦକ୍ଷେପ ନେଉଛି । ଏହା ପୂର୍ବରୁ ଗହମ , ଅଟା, ମଇଦା ଓ ସୁଜି ଆଦି ରପ୍ତାନି ଉପରେ କଟକଣା ଲଗାଯାଇଥିଲା ।

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରଠାରୁ ସାରା ବିଶ୍ୱରେ ଖାଦ୍ୟ ଶସ୍ୟର ଅଭାବ ଦେଖାଦେଇଛି । ଏହି ଦୁଇ ରାଷ୍ଟ୍ରର ଖାଦ୍ୟଶସ୍ୟ ଉପରେ ବହୁ ଦେଶ ନିର୍ଭରଶୀଳ ଥିଲେ । ସେଠାରୁ କୈାଣସି ଖାଦ୍ୟ ସାମଗ୍ରୀ ବାହାରକୁ ଆସିପାରୁନଥିବାରୁ ଅନ୍ୟ ଦେଶରେ ଥିବା ଖାଦ୍ୟଶସ୍ୟର ଚାହିଦା ବଢ଼ିଛି । ସେଥିପାଇଁ ଭାରତର ଚାଉଳ, ଗହମ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ବିଭିନ୍ନ ଦେଶର ଲୋକେ ଆଗ୍ରହ କରୁଛନ୍ତି । ଏବେ ଦେଶରେ ମଧ୍ୟ ଚାଉଳ ଉତ୍ପାଦନ ହ୍ରାସ ସମସ୍ୟା ଚିନ୍ତାକୁ ଦ୍ୱିଗୁଣିତ କରିଛି ।