କ୍ରିକେଟ ମ୍ୟାଚରେ ଆସିପାରେ ଫୁଟବଲ ଭଳି ନିୟମ, ଖେଳାଳୀ କଲେ ଭୁଲ, ଅସୁବିଧାରେ ପଡିବ ଟିମ୍ । 

252

କନକ ବ୍ୟୁରୋ : ଦିନକୁ ଦିନ କମୁଛି କ୍ରିକେଟର କ୍ରେଜ । ଯେଉଁଥିପାଇଁ କ୍ରିକେଟର ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣୁଛି ଆଇସିସି । କିଛି ନୂଆ ନିୟମ ସହ କିଛି ନିୟମକୁ ସଂଶୋଧିତ କରୁଛି ଆଇସିସି । ଯାହାଦ୍ୱାରା ଦର୍ଶକଙ୍କୁ କ୍ରିକେଟ ସହିତ ଯୋଡି ରଖାଯାଇପାରିବ । ଏହାପୂର୍ବରୁ ଗତ ଆଇପିଏଲରେ ଆସିଥିବା ଇମ୍ପାକ୍ଟ ପ୍ଲେୟାର ନିୟମକୁ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଥିଲେ । ଏପରିକି ଏହାକୁ ଅନ୍ତର୍ଜାତୀୟ ମ୍ୟାଚରେ ଲାଗୁ କରିବାକୁ ମଧ୍ୟ କ୍ରିକେଟପ୍ରେମୀ ଦାବି କରିଛନ୍ତି । ଅନ୍ୟପଟେ ଆଇସିସି ଏବେ ମର୍କଡିଙ୍ଗ ଆଉଟ ସହ ନୋ-ବଲ ଓ ସଫ୍ଟ ସିଗନାଲରେ କିଛି ନିୟମ ବଦଳାଇଛି । ତେବେ ବିଭିନ୍ନ ଫ୍ରାଞ୍ଚାଇଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନୂଆ ନିୟମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ସେହିଭଳି ଏକ ନିୟମ ଏବେ କାରବିଆନ ପ୍ରିମିୟର ଲିଗରେ ଲାଗୁ ହେବ ।  ଏହି ନୂଆ ନିୟମଟି ହେଲା ରେଡ କାର୍ଡ ନିୟମ । କିନ୍ତୁ ଫୁଟବଲର ରେଡ କାର୍ଡ ନିୟମ ଠାରୁ ଏହି ରେଡ କାର୍ଡ ନିୟମ ସମ୍ପୂର୍ଣ୍ଣ ଭିନ୍ନ ।

ସାଧାରଣତଃ ଫୁଟବଲ ମ୍ୟାଚରେ ଖେଳାଳୀଙ୍କୁ ରେଫରୀ ରେଡ କାର୍ଡ ଦେଇଥାନ୍ତି । କିନ୍ତୁ କ୍ରିକେଟରେ ସେମିତି ଦେଖିବାକୁ ମିଳିବନି । ଏହି ରେଡ କାର୍ଡ ନିୟମ ଇନିଂସର ଶେଷ ଓଭରରେ ବ୍ୟବହାର କରାଯିବ । କିନ୍ତୁ ଏହି ନିୟମ ସେତେବେଳେ ଲାଗୁ ହେବ ଯେତେବେଳେ ବୋଲିଂ କରୁଥିବା ଟିମ୍ ନିର୍ଦ୍ଧାରିତ ସମୟ ଅନୁସାରେ ଓଭର ଶେଷ କରିନଥିବେ । ଅଥାର୍ତ ଧୀମା ଓଭର ପାଇଁ ହିଁ ରେଡ କାର୍ଡର ବ୍ୟବହାର କରାଯିବ । ଆସନ୍ତା ୧୭ ଅଗଷ୍ଟରୁ ସିପିଏଲର ନୂଆ ସିଜିନ ଆରମ୍ଭ ହେବ । ଏହି ଲିଗରେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ ହେବ । ଯଦି ସିପିଏଲରେ ଏହି ନିୟମ ସଫଳ ହୁଏ ତେବେ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଏହି ନିୟମ ଲାଗୁ କରାଯାଇପାରେ ।

ସାଧାରଣତଃ ଟି-୨୦ ମ୍ୟାଚର ଗୋଟିଏ ଇନିଂସର ଅବଧି ୮୫ ମିନିଟ ହୋଇଥାଏ । ଏହି ସମୟ ଭିତରେ ମ୍ୟାଚ୍ ଶେଷ କରିବାକୁ ପଡିଥାଏ । ୭୨.୧୫ ମିନିଟ୍ ସୁଦ୍ଧା ୧୭ ଓଭର, ୭୬.୩୦ ମିନିଟ୍ ସୁଦ୍ଧା ୧୮ ଓଭର ଶେଷ ହେବାକୁ ନିର୍ଦ୍ଧାରିତ ଥିବା ବେଳେ ୮୫ ମିନିଟ୍ ଭିତରେ ୨୦ ଓଭର ଶେଷ କରିବାକୁ ହୋଇଥାଏ । କିନ୍ତୁ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ୧୮ ଓଭରର ପରିସମାପ୍ତି ହୋଇନଥାଏ ତେବେ ୩୦ ୟାର୍ଡ ଭିତରେ ୫ ଜଣ ଖେଳାଳୀ ରହିବେ । ସେହିଭଳି ଯଦି ୨୦ ଓଭର ପୂର୍ବରୁ ସ୍ଲୋ ଓଭର ଥିବା ଜଣାପଡେ ତେବେ ଅଧିନାୟକ ଜଣେ ଖେଳାଳୀଙ୍କୁ ମୈଦାନରୁ ବାହାର କରିବା ସହ ୩୦ ୟାର୍ଡ ଭିତରେ ୬ ଜଣ ଖେଳାଳୀଙ୍କୁ ରଖିବେ  ।ଯାହାଦ୍ୱାରା ବ୍ୟାଟିଂ କରୁଥିବା ଟିମକୁ ବେଶ ଫାଇଦା ମିଳିବ । କେବଳ ବୋଲିଂ କରୁଥିବା ଟିମ୍ ପାଇଁ ଏହି ନିୟମ ରହିବନି । ବରଂ ଯଦି ବ୍ୟାଟିଂ କରୁଥିବା ଟିମ୍ ପାଇଁ ଖେଳରେ ବିଳମ୍ବିତ ହୁଏ ତେବେ ମଧ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ଏଭଳି ସ୍ଥିତିରେ ବ୍ୟାଟରଙ୍କୁ ପ୍ରଥମେ ଚେତାବନୀ ଦିଆଯିବ । କିନ୍ତୁ ଏହାପରେ ମଧ୍ୟ ଯଦି ଏହାର ପୁନରାବୃତ୍ତି ହୁଏ ତେବେ ଦଣ୍ଡ ସ୍ୱରୂପ ବ୍ୟାଟିଂ କରୁଥିବା ଟିମର ୫ ରନ୍ କାଟି ଦିଆଯିବ । କିଛି ଏଭଳି ଢଙ୍ଗରେ ଏହି ନୂଆ ନିୟମ ଲାଗୁ କରାଯିବ । ଯାହାଦ୍ୱାରା ଫଟାଫଟ କ୍ରିକେଟ ଆହୁରି ରୋମାଞ୍ଚକର ହେବ ବୋଲି କ୍ରିକେଟପ୍ରେମୀ କହିଛନ୍ତି ।