ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର । ରାଷ୍ଟ୍ରପତି ଭବନରେ ଟଙ୍କା ପାଇଲେ ପ୍ରଦର୍ଶନକାରୀ ପଶି । ମିଳିଥିବା ୨କୋଟି ଟଙ୍କା ସେନା ନିକଟରେ କଲେ ଜମା

226

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ, ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି କୋଟି କୋଟି ନଗଦ ଟଙ୍କା । ପାଖାପାଖି ୨ କୋଟି ଟଙ୍କା ପ୍ରଦର୍ଶନକାରୀଙ୍କୁ ମିଳିଥିବା କୁହାଯାଉଛି । ରାଷ୍ଟ୍ରପତି ଭବନ ଭିତରେ ପ୍ରଦର୍ଶନକାରୀ ଟଙ୍କା ଗଣୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସବୁଠୁ ବଡ଼ କଥା ହେଉଛି ଟଙ୍କା ହାତରେ ଲାଗିବା ପରେ ସଚ୍ଚୋଟତା ଦେଖାଇଛନ୍ତି ପ୍ରଦର୍ଶନକାରୀ । ଶ୍ରୀଲଙ୍କା ନ୍ୟୁଜ୍ ପେପର ଡେଲି ମିରର ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ଭବନରୁ ମିଳିଥିଲା ୨ କୋଟି ଟଙ୍କା ପ୍ରଦର୍ଶନକାରୀ ସେନା ନିକଟରେ ଜମା କରିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ପ୍ରଦର୍ଶନକାରୀ । ଏହା ପରେ ପ୍ରଦର୍ଶନକାରୀଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଛି । ସାଂଘାତିକ ଆର୍ଥିକ ସ୍ଥିତି ଭିତରେ ଦେଶ ଗତି କରୁଥିବା ବେଳେ ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ ଟଙ୍କା ଗଣୁଥିବାର ଭିଡିଓ ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ତଦନ୍ତ ପରେ ଏହା ଉପରେ ଅଧିକ ତଥ୍ୟ ମିଳିପାରିବ ।

ଗୋଟାବାୟାଙ୍କ ଇସ୍ତଫା ଦାବି କରି ହଜାର ହଜାର ଲୋକ ରାଷ୍ଟ୍ରପତି ଭବନକୁ ଘେରିବା ସହ ରାଷ୍ଟ୍ରପତି ଭବନରେ ପଶି ହଙ୍ଗାମା କରିଛନ୍ତି । ରାଷ୍ଟ୍ରପତି ଭବନ ପରିସରରେ ପାଇବା ସହ ସେଠାରେ ଥିବା ସୁଇମିଂପୁଲରେ ଗାଧୋଇଥିଲେ । ପରେ ପରେ ସେମାନେ ରାଷ୍ଟ୍ରପତିଙ୍କ ବେଡ୍ରୁମ୍ ଓ କିଚେନ୍ରେ ମଧ୍ୟ ପଶିଥିଲେ । ରୋଷେଇ ଘରେ ଯାହା ଥିଲା, ଖାଇବାରେ ଲାଗିଥିଲେ । ବେଡରୁମରେ ଶୋଇ ସେମାନେ ସେଲ୍ଫି ନେଇଥିଲେ । ଏପରିକି ରାଷ୍ଟ୍ରପତିଙ୍କ ଜିମରେ ପଶି ୱାକ୍ ଆଉଟ୍ କରିଥିଲେ ବିକ୍ଷୋଭକାରୀ ।