ବଳ ପୂର୍ବକ ଋଣ ଅସୁଲି ନେଇ କଠୋର ହେଲା ରିଜର୍ଭ ବ୍ୟାଙ୍କ । ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ କଡା ନିର୍ଦ୍ଦେଶ

542

କନକ ବ୍ୟୁରୋ : ସେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ହେଉ କି ଜାତୀୟକରଣ ବ୍ୟାଙ୍କ, ଏମାନେ ଋଣ ଖିଲାପିକାରୀଙ୍କ ଠାରୁ ବଳ ପୂର୍ବକ ଋଣ ଅସୁଲି କରୁଥିବା ନେଇ ବାରମ୍ବାର ଅଭିଯୋ ଆସିବା ପରେ ଏବେ ଏହା ଉପରେ କଠୋର ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ସଂପର୍କିତ ଥିବା ନିୟମକୁ କଡାକଡି କରିଛି । ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନୋଟିସ ମୁତାବକ କୌଣସି ପରିସ୍ଥିତିରେ ଋଣଗ୍ରହୀତାଙ୍କୁ କୌଣସି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ବା ବ୍ୟାଙ୍କମାନେ ହଇରାଣ କରିପାରିବେ ନାହିଁ । ସେପଟେ ଯଦି କୌଣସି ସଂସ୍ଥା ଏହି ନିୟମର ଉଲଙ୍ଘନ କରେ ତେବେ ସେହି ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

କେବଳ ସେତିକି ନୁହେଁ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନୋଟିସ ମୁତାବକ କୌଣସି ସଂସ୍ଥା ଋଣ ଅସୁଲି ପ୍ରକ୍ରିୟାରେ ଗ୍ରାହକଙ୍କ ବନ୍ଧୁ କିମ୍ବା ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ । ଏହାସହ ଗ୍ରାହକଙ୍କ ଗୋପନୀୟତା ଉପର ହସ୍ତକ୍ଷେପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରିଜର୍ଭ ବ୍ୟାଙ୍କ ।

ସେପଟେ ଋଣ ଅସୁଲକାରୀ ଏଜେଣ୍ଟମାନେ ଋଣ ଗ୍ରହୀତାଙ୍କ ମୋବାଇଲ କିମ୍ବା ସୋସିଆଲ ମିଡିଆ ଆକାଉଣ୍ଟକୁ ଅନୁପଯୁକ୍ତ ବାର୍ତ୍ତା ପଠାଇପାରିବେ ନାହିଁ । ଏହାସହ ଗ୍ରାହକଙ୍କୁ କୌଣସି ଧମକପୂର୍ଣ୍ଣ ଫୋନ କଲ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସେପଟେ ଋଣ ରାଶି ଅସୁଲ କରିବା ପାଇଁ ସଂସ୍ଥାମାନେ ଗ୍ରାହକମାନଙ୍କୁ ସକାଳ ୮ ପୂର୍ବରୁ ଓ ରାତି ୭ ପରେ ମଧ୍ୟ ଫୋନ କଲ କରିପାରିବେ ନାହିଁ ।

କହିରଖୁ କି, ମୋବାଇଲ ଆପ୍ ସହାୟତାରେ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡିକ ଋଣ ରାଶି ଅସୁଲ କରିବା ପାଇଁ ବହୁ ବେଆଇନ ପଦକ୍ଷେପ ନେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏହାକୁ ଗମ୍ଭୀରତାର ସହ ନେଇଛି ରିଜର୍ଭ ବ୍ୟାଙ୍କ । ଏନେଇ ଡିଜିଟାଲ ଋଣ ପ୍ରଦାନ କରୁଥିବା ସଂସ୍ଥାଗୁଡିକ ପାଇଁ ରିଜର୍ଭ ବ୍ୟାଙ୍କ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରିଛି ।