କଲର୍ଭଟ ନିର୍ମାଣରେ ୬ମାସ ବିଳମ୍ବ ହେତୁ କାତିପାଡୁ ଗ୍ରାମବାସୀଙ୍କ ରାସ୍ତାରୋକ : ପ୍ରଥମେ ରାସ୍ତା କର,ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିବୁ କହିଲେ ଗ୍ରାମବାସୀ

46

କନକ ବ୍ୟୁରୋ : ମାସେ ନୁହେଁ କି ଦୁଇ ମାସ ନୁହେଁ ପୁରା ୬ ମାସ ଧରି କଲର୍ଭଟ ହୋଇପାରିନଥିବାରୁ ଶେଷରେ ଲୋକମାନେ ରାସ୍ତାରୋକ କରିଛନ୍ତି । ରାୟଗଡା କଲ୍ୟାଣସିଂହପୁରର କାଡିପାଡୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲର୍ଭଟ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବାରୁ ଲୋକମାନେ ଧାରଣାରେ ବସି ରହିଛନ୍ତି । ଏହି ରାସ୍ତାଟିରେ ୩ ପଞ୍ଚାୟତର ଲୋକ ନିର୍ଭର କରନ୍ତି । ତେବେ ରାସ୍ତାଟି ଆର ଏଣ୍ଡ ବି ବିଭାଗର ଅଧୀନରେ ରହିଛି । ଅନେକ ଦିନ ହେଲାଣି ନିର୍ମାଣ କାମ ହେଉଥିବାରୁ ଲୋକମାନେ ବିଲ ଭିତରେ ପଶି ଯିବା ଆସିବା କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ମୈାସୁମୀ ବର୍ଷା ଲାଗି ରହିଥିବାରୁ ସେଠାରେ ମଧ୍ୟ ବିଲ ଭିତରେ ପାଣି ଜମିରହିଛି ।

ତେଣୁ ଲୋକମାନେ ଯିବାଆସିବାରେ ଅନେକ ଅସୁବିଧା ଭୋଗୁଛନ୍ତି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହଶହ ଲୋକ କଲ୍ୟାଣସିଂହପୁର ବଜାର ସହ ମେଡିକାଲଠାରୁ ଆରମ୍ଭ କରି ଜିଲ୍ଲା ସଦପ ମହକୁମାକୁ ଯିବା ଆସିବା କରନ୍ତି । ଏହାସହ ଅନେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଚଳପ୍ରଚଳ କରନ୍ତି । ଅନେକ ଦିନ ହେଲାଣି ରାସ୍ତାଟି ଅଧପନ୍ତରିଆ ଭାବରେ ପଡିରହିଛି । ତେଣୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆର ଏଣ୍ଡ ବି ବିଭାଗର ଠିକାଦାର ମନଇଚ୍ଛା କାମ କରୁଛନ୍ତି । ସବୁଠାରୁ ବଡ କଥା ହେଲା ଲୋକମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ମଧ୍ୟ ଠିକାଦାରଙ୍କୁ କିଛି କହୁନାହିଁ ।

 

ପୂର୍ବରୁ ଗ୍ରାମବାସୀମାନେ ରାସ୍ତାରେ ଉପୁଜିଥିବା ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ପରିତ୍ୟକ୍ତ ରାସ୍ତାରେ ଅନେକ ଥର ଛୋଟ ବଡ ଦୁର୍ଘଟଣା ମଧ୍ୟ ହୋଇ ସାରିଛି । ୨୦୧୭ ମସିହାରେ ନାଗାବଳୀ ନଦୀରେ ବନ୍ୟା ଆସି ରାସ୍ତା ଧୋଇନେଇଥିଲା । ସେବେଠାରୁ ହିଁ ଲୋକମାନେ ଅସୁବିଧାର ସମୁଖୀନ ହେଉଛନ୍ତି । ପୁଣିଥରେ ବର୍ଷା ସମୟ ଆସିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ରାସ୍ତାରେ ଥିବା କଲର୍ଭଟ ସହ ରାସ୍ତାକାମ ଅଧପନ୍ତରିଆ ଅବସ୍ଥାରେ ରହିଛି । ତେବେ ପୂର୍ବରୁ ସ୍ଥାନୀୟ ପୋଲିସକୁ ଜଣାଇ ଆଜି ସକାଳୁ ହିଁ କଲ୍ୟାଣସିଂହପୁରର କୁମ୍ଭାରପଡା ଛକରେ ରାସ୍ତାରୋକ କରାଯାଇଛି । ସେଠାକାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ ଶାନ୍ତଶୃଙ୍ଖଳା ରକ୍ଷାପାଇଁ ପୋଲିସ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।