ବିଦେଶୀଙ୍କୁ ଚକାନୟନ ସହ ଆଖି ମଳାଇବାକୁ ମିଳୁ ଅନୁମତି । ପ୍ରସ୍ତାବ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ସେବାୟତ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ନିବେଦନ କଲେ ରାଜ୍ୟପାଳ

297

କନକ ବ୍ୟୁରୋ: ଜଗତର ନାଥ ଜଗନ୍ନାଥ । ଯାହାଙ୍କୁ ସାରା ବିଶ୍ୱର ଦେବତା ବୋଲି କୁହାଯାଏ । କିନ୍ତୁ ଶ୍ରୀମନ୍ଦିରର ନୀତି ଓ ପରମ୍ପରା ଅନୁସାରେ, ମନ୍ଦିର ଭିତରକୁ ବିଦେଶୀ ନାଗରିକଙ୍କ ଯିବା ଉପରେ କଟକଣା ରହିଛି । ସେହିପରି ଇସଲାମ, ଖ୍ରୀଷ୍ଟିୟାନ, ପାର୍ସି ଧର୍ମାବଲମ୍ବୀମାନଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି । ରଥଯାତ୍ରା ସମୟରେ ସେମାନେ ବଡଦାଣ୍ଡରେ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । ହେଲେ ସମୟ ବଦଳୁଥିବାରୁ ବିଦେଶରୁ ଆସୁଥିବା ଲୋକଙ୍କୁ ଚକାନୟନ ସହ ଆଖି ମିଳାଇବାକୁ ଅନୁମତି ଦେବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଶ୍ରୀମନ୍ଦିରକୁ ବିଦେଶୀ ନାଗରିକଙ୍କୁ ପ୍ରବେଶ ପାଇଁ ଅନୁମତି ଦେବାକୁ ରାଜ୍ୟପାଳଙ୍କ ପ୍ରସ୍ତାବ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅବସର ଥିଲା ଓଡିଶା ଅର୍ଥନୈତିକ ସଂଘ, ନାଇଜର ଓ ଉକ୍ରଳ ବିଶ୍ୱବିଦ୍ୟାଳର ଅର୍ଥନୀତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଓଡିଶା ଭିଜନ-୨୦୩୬ ସମ୍ମିଳନୀର ଉଦଘାଟନୀ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଓଡିଶାର ମହାନ ସଂସ୍କୃତି ଓ ଉଜ୍ୱଳ ଭବିଷ୍ୟତକୁ ନେଇ ନିଜର ମତ ରଖିଥିଲେ । ଆଉ ଏହି ଅବସରରେ ରାଜ୍ୟପାଳ କହିଥିଲେ, ଏଠାକାର ସଂସ୍କୃତି ମହାନ । ଜଗନ୍ନାଥଙ୍କ ନାଁ ଯେତେବେଳେ ନିଆଯାଏ, ସେତେବେଳେ ସାରା ବିଶ୍ୱର ସଂସ୍କୃତି ଆଖି ଆଗରେ ଝଲସି ଉଠେ । ଏଥିସହ କୌଣସି ବିଦେଶୀ ନାଗରିକ ଯଦି ଓଡି଼ଶା ଆସି ଶଙ୍କରାଚାର୍ଯ୍ୟ, ସେବାୟତ ଓ ଗଜପତିଙ୍କୁ ଭେଟି ପାରୁଛନ୍ତି , ତେବେ ସେମାନଙ୍କୁ ଚକାନୟନ ସହ ଆଖି ମିଳାଇବା ଲାଗି ଅନୁମତି ଦିଆଯାଉ ।

ରାଜ୍ୟପାଳଙ୍କ ନିବେଦନ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ । କହିଛନ୍ତି, ଏହା ରାଜ୍ୟପାଳଙ୍କ ବ୍ୟକ୍ତିଗତ ମତ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏଗୁଡିକ ଗ୍ରହଣୀୟ ନୁହେଁ । ଶଙ୍କରାଚାର୍ଯ୍ୟ, ଗଜପତି ଓ ସେବାୟତ ହେଲେ ବ୍ୟକ୍ତିବିଶେଷ, କିନ୍ତୁ ମହାପ୍ରଭୁ ହେଉଛନ୍ତି ଠାକୁର । ତେବେ ରାଜ୍ୟପାଳ ଲିଖିତ ଭାବେ ଅନୁରୋଧ କଲେ ପରମ୍ପରା ଅନୁସାରେ ପରିଚାଳନା କମିଟିରେ ଆଲୋଚନା ହେବ ବୋଲି ଗଜପତିଙ୍କ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟପାଳଙ୍କ ପ୍ରସ୍ତାବକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁକ୍ତିମଣ୍ଡପ ନିଷ୍ପତି ଉପରେ ଏହା ନିର୍ଭର କରେ । ମୁକ୍ତିିମଣ୍ଡପ ଯାହା ନିଷ୍ପତି ନେବ ଆମେ ତାକୁ ଗ୍ରହଣ କରୁଛୁ । କିନ୍ତୁ ସନାତନ ଧର୍ମ ଆଉ ଡିଫେନସିଭ୍ ହେବାର ନାହିଁ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଜଗନ୍ନାଥଙ୍କର ଯେଉଁ ପରମ୍ପରା ରହିଛି, ସେ ପରମ୍ପରାକୁ ଭାଙ୍ଗିବାକୁ ସୁଯୋଗ ଦିଆଯିବନି ।

ଶ୍ରୀମନ୍ଦିରକୁ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ରହିଛି । ସେହିପରି ଇସଲାମ, ଖ୍ରୀଷ୍ଟିୟାନ, ପାର୍ସି ଧର୍ମାବଲମ୍ବୀମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ ବାରଣ ରହିଛି । କେବଳ ହିନ୍ଦୁ ମାନଙ୍କୁ ମନ୍ଦିର ପ୍ରବେଶ ଅଧିକାର ରହିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ବିଦେଶୀ ଓ ଅନ୍ୟ ଧର୍ମାବଲମ୍ବୀମାନେ ବାହାରୁ ରହି ପତିତପାବନ କରିଥାନ୍ତି । ଏବଂ ଶ୍ରୀଗୁଣ୍ଡିଚାରେ ନିଜେ ମହାପ୍ରଭୁ ରତ୍ନ ସିଂହାସନରୁ ଓହ୍ଲାଇ ଆସି ରଥ ଉପରେ ପତିତଜନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ରାଜ୍ୟପାଳ ଏଭଳି ପ୍ରସ୍ତାବ କାହିଁକି ଦେଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।