୨୦୨୪ ଜାନୁଆରୀ ୧୪ରେ ରାମ ମନ୍ଦିରରେ ସ୍ଥାପନ ହେବ ରାମଙ୍କ ମୂର୍ତ୍ତି । ଶିଶୁ ରୂପରେ ପୂଜା ପାଇବେ ଭଗବାନ୍

152

କନକ ବ୍ୟରୋ: ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣକାର୍ୟ୍ୟ ଆସନ୍ତାବର୍ଷ ଜାନୁଆରୀ ୧ ସୁଦ୍ଧା ଶେଷ ହେବ। ଗତକାଲି ତ୍ରିପୁରାରେ ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେବା ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୪ ଜାନୁଆରୀ ୧୪ (ମକର ସଂକ୍ରାନ୍ତି)ରେ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ । ଶିଶୁ ରୂପରେ ପୂଜା ପାଇବେ ଶ୍ରୀରାମ । ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ଦାୟିତ୍ୱରେ ଅଛନ୍ତି ଓଡିଶାର ଦିବଙ୍ଗତ ତଥା ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁ ।

ରାମ ମନ୍ଦିରର ପାଇଁ ବିଶାଳ ଉତ୍ସବ ୨୦୨୩ ଡିସେମ୍ବରରୁ ଆରମ୍ଭ ହେବ ଏବଂ ୨୦୨୪ ଜାନୁଆରୀ ୧୪ ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ତାହା ଚାଲିବ। ନବନିର୍ମିତ ମୂର୍ତ୍ତି ୯ ଫୁଟ ଉଚ୍ଚତାରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଏହାଦ୍ୱାରା ୩୫ ଫୁଟ ଦୂରରୁ ଭକ୍ତମାନେ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇବେ। ମୂର୍ତ୍ତି ସ୍ଥାପନ ଏଭଳି ଭାବେ କରାଯିବ ଯେଭଳି ତାଙ୍କ ମସ୍ତକରେ ଉଦିତ ସୂର୍ୟ୍ୟଙ୍କ କିରଣ ସ୍ପର୍ଶ କରିବ। ଏଥିପାଇଁ ସିଏସଆଇଆର-ସିବିଆରଆଇ, ସେଣ୍ଟର ଅଫ ‌ଆଷ୍ଟ୍ରୋନୋମି ଆଣ୍ଡ୍ ଆଷ୍ଟ୍ରୋଫିଜିକ୍ସର ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମୂର୍ତ୍ତି ନିର୍ମାଣ ପାଇଁ ଦେଶର ଖ୍ୟାତନାମା ସ୍ଥପତିମାନଙ୍କୁ ଆହ୍ବାନ କରାଯାଇଛି।

ଟ୍ରଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ, କର୍ଣ୍ଣାଟକରୁ ବାସୁଦେବ କାମାଥ, କେକେଭି ମାନିୟା, ପୁନେର ଶାସ୍ତ୍ରଜ୍ଞ ଦେଉଲକରଙ୍କୁ ମୂର୍ତ୍ତି ଡିଜାଇନ ପଠାଇବା ପାଇଁ ଆମନ୍ତ୍ରଣ କରାଯାଇଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାଣ ନେଇ ଦେଶର ସବୁ ବରିଷ୍ଠ ମୁନିଋଷିମାନଙ୍କ ସହ ଆଲୋଚନା ହେବ। ଏଥିସହିତ କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରୁ ମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତର ନିଆଯିବ। ମୂର୍ତ୍ତି ଚୂଡ଼ାନ୍ତ ହେବା ପରେ ପଥର ନିଆଯିବ ବୋଲି ରାୟ କହିଛନ୍ତି।