ରାକ୍ଷୀ ସାୱନ୍ତଙ୍କ ପତି ଆଦିଲଙ୍କ ପାଇଁ ବଢିଲା ଅଡୁଆ, ପୋଲିସ ରୁଜୁ କଲା ଦୁଷ୍କର୍ମ ମାମଲା

213

କନକ ବ୍ୟୁରୋ : ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଦୁରାନୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଅଭିନେତ୍ରୀ ପତ୍ନୀ ରାକ୍ଷୀ ସାୱନ୍ତ ଆଦିଲଙ୍କ ଉପରେ ମାରପିଟ କରୁଥିବା ଅଭିଯୋଗ ଆଣିଥିଲେ । ଏହାପରେ ଏବେ ତାଙ୍କ ନାମରେ ମୈସୁର ଠାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

ସୂଚନା ମୁତାବକ ଆଦିଲ ଦୁରାନୀଙ୍କ ବିରୋଧରେ ଜଣେ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୈସୁରର ବିବିପୁରମ ଥାନାରେ ଏନେଇ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଆଦିଲଙ୍କ ବିରୋଧରେ ଆଇପିସି ଧରା ୪୧୭,୪୨୦,୩୭୬, ୫୦୪ ଓ ୫୦୬ ଧାରାରେ ମାମଲା ରୁଜୁ କରିଛି । ଛାତ୍ରୀ ଜଣଙ୍କ କହିଛନ୍ତି କି ଆଦିଲଙ୍କ ସହ ତାଙ୍କର ଥିବା କିଛି ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି ।

ଛାତୀ ଜଣଙ୍କ ଇରାନର ନାଗରିକ । ସେ ମୈସୁରର ଡକ୍ଟର ଅଫ୍ ଫାର୍ମାସୀ ପଢୁଛନ୍ତି । ଡିଜେର୍ଟ ଲ୍ୟାବ ଫୁଡରେ ତାଙ୍କର ଆଦିଲଙ୍କ ସହ ଭେଟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା । ଏହି ଫୁଡ ଆଉଟଲେଟର ମାଲିକ ହେଉଛନ୍ତି ଆଦିଲ । ବନ୍ଧୁତା ପରେ ଧିରେଧିରେ ଉଭୟଙ୍କ ମଧ୍ୟରେ ସଂପର୍କ ଆଗକୁ ବଢିଥିଲା । ଏବେ ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି କି, ଆଦିଲ ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କସହ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ । ଏହାପରେ ସେ ମୈସୁରର ଏକ ଆପାର୍ଟମେଣ୍ଟରେ ତାଙ୍କୁ ଦୁଷ୍କର୍ମ କରିଥିବା ମଧ୍ୟ ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ ଛାତ୍ରୀ ଜଣଙ୍କ ଯେତେବେଳେ ଆଦିଲଙ୍କ ବିବାହ କରିବା କଥା କହିଲେ ସେତେବେଳେ ଆଦିଲ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ତାଙ୍କ ଅନ୍ତରଙ୍ଗ ସମୟର ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ।