ରାଜସ୍ଥାନ ରାଜନୈତିକ ସଙ୍କଟ : ସର୍ତ୍ତ ରଖିଲେ ଅଶୋକ ଗେହଲଟଙ୍କ ଗୋଷ୍ଠୀର ବିଧାୟକ

243

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ କେନ୍ଦ୍ର କରି ରାଜସ୍ଥାନ ରାଜନୀତି ସରଗରମ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସଚିନ୍ ପାଇଲଟଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ଗେହଲଟ୍ ଗୋଷ୍ଠୀ ବିରୋଧ କରିଛନ୍ତି । ୮୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ବିଧାୟକମାନେ ଦଳର ନିଷ୍ପତ୍ତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ଜଣାପଡ଼ିଛି । ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି । ଗତକାଲି ମଧ୍ୟରାତିରେ ଅସନ୍ତୁଷ୍ଟ ବିଧାୟକମାନେ ରାଜସ୍ଥାନ ବାଚସ୍ପତିଙ୍କ ସହ ବୈଠକ କରିଛନ୍ତି । ଦଳର ସମସ୍ତ ବିଧାୟକଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରିବାକୁ ରାଜସ୍ଥାନରେ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ହାଇକମାଣ୍ଡଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ବୈଠକ ହୋଇପାରିନଥିଲା ।

ଫଳରେ ଦୁଇ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ୍ ଖଡଗେ ଓ ଅଜୟ ମାକେନ ଦିଲ୍ଲୀ ଫେରିଯିବେ । ଦିଲ୍ଲୀ ଯିବା ପୂର୍ବରୁ ଗେହଲଟଙ୍କୁ ଫୋନ୍ କରିଥିଲେ । ହେଲେ ଗେହଲଟ୍ କିଛି କରିପାରିବେ ନାହିଁ ବୋଲି କହିଥିବା ଜଣାପଡ଼ିଛି । ଏହାରି ଭିତରେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ଆଜି ଦିଲ୍ଲୀ ଯିବେ କେ.ସି ବେଣୁଗୋପାଳ । ସଂଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସର୍ତ୍ତ ରଖିଛନ୍ତି ଅଶୋକ ଗେହଲଟଙ୍କ ଗୋଷ୍ଠୀର ବିଧାୟକ :-
– ଅଶୋକ ଗେହଲଟ୍ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ
– ଅକ୍ଟୋବର ୧୮ ତାରିଖ ପରେ ନୂଆ ମୁଖ୍ୟମନ୍ତ୍ରୀ ପ୍ରାଥୀଙ୍କ ନାଁ ଘୋଷଣା କରାଯାଉ
– ୧୦୨ ବିଧାୟକଙ୍କ ମଧ୍ୟରୁ ଜଣେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହୁଅନ୍ତୁ
– ଯେଉଁମାନେ ସଚିନ୍ ପାଇଲଟଙ୍କ ବିଦ୍ରୋହ ବେଳେ ଦଳକୁ ବଞ୍ଚାଇଥିଲେ
– ଅଶୋକ ଗେହଲଟଙ୍କ ସହମତିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦିଆଯାଉ

ରାଜସ୍ଥାନ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୦୦ । ମ୍ୟାଜିକ୍ ନମ୍ବର ହେଉଛି ୧୦୧ । କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୭୦ ବିଧାୟକ । ସେହିପରି ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ୦୮ ଜଣ ବିଧାୟକ ରହିଛନ୍ତି । ସୂଚନା ଅନୁସାରେ ଗେହଲଟଙ୍କ ସମର୍ଥନରେ ୮୨ ବିଧାୟକ ଇସ୍ତଫା ଦେଇଛନ୍ତି । ସେହିପରି ସଚିନ୍ ପାଇଲଟଙ୍କ ସମର୍ଥନରେ ୨୬ ଜଣ ବିଧାୟକ ରହିଛନ୍ତି ।