ନାମାଙ୍କନ ସହ ହେଭିୱେଟ ନେତାଙ୍କ ଶକ୍ତି ପ୍ରଦର୍ଶନ । ସାଥୀରେ ଆଣିଲେ ହଜାର ହଜାର ସମର୍ଥକ, ବାଜାବାଣ ସହ ରୋଡ ସୋ କଲେ ପ୍ରାର୍ଥୀ

112

କନକ ବ୍ୟୁରୋ : ନାମାଙ୍କନ ଦାଖଲ କଲେ ବରଗଡ଼ ଲୋକସଭା କ୍ଷେତ୍ରର ବିଜେପୁର ବିଜେଡିର ବିଧାନସଭା ପ୍ରାର୍ଥୀ ରୀତା ସାହୁ । ଏକ ବିରାଟ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିଂ ଅଫିସର ସୁଶାନ୍ତ ସିଂଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୋଭାଯାତ୍ରାରେ ବିଜେଡି ଲୋକସଭା ପ୍ରାର୍ଥୀ ପରିଣୀତା ମିଶ୍ରଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ । ବରଗଡ଼ ସାଇକ୍ରୀଷ୍ଣା ପ୍ୟାଲେସରୁ ବାହାରି ଶତାଧିକ ବିଜେଡି କର୍ମୀ ଓ ସମର୍ଥକଙ୍କ ସହ ସହର ପରିକ୍ରମା କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ।

ସେହିଭଳି ବାରବାଟୀ-କଟକ ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଏକ ବିରାଟ ଶୋଭାଯାତ୍ରାରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରଥମେ କଟକ ଦୋଳମୁଣ୍ଡାଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଦୋଳମୁଣ୍ଡାଇ ଛକରୁ ଖୋଲା ଜିପ୍ରେ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକଙ୍କ ସହ ରାଲିରେ ବାହାରି କଟକ ସେମିନାର ଛକ, ଗୌରିଶଙ୍କର ପାର୍କ, ଚୌଧୁରୀ ବଜାର ଏବଂ ସ୍ୱରାଜ ଆଶ୍ରମ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଂଚଥିଲେ । ପ୍ରକାଶ ବେହେରାଙ୍କ ସହ ତାଙ୍କ ପତ୍ନୀ, ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କଟକ ମେୟର ସୁବାସ ମଧ୍ୟ ଉପସ୍ଥିତ ଥିଲେ ।