ଛତ୍ରପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍ । କହିଲେ ନବୀନ ଇଞ୍ଜିନ ସ୍ୱଚ୍ଛତାର ଇଞ୍ଜିନ, ସେବାର ଇଞ୍ଜିନ । ଡବଲ୍ ଇଞ୍ଜିନ୍ ଭୋଟ୍ ପାଇଁ କାମ କରିବା ଇଞ୍ଜିନ୍

66

କନକ ବ୍ୟୁରୋ: ଛତ୍ରପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ବୁଧବାର ଗଞ୍ଜାମର ଛତ୍ରପୁର ଗସ୍ତ କରି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଜୟ ଜଗନ୍ନାଥ ଏବଂ ଜୟ ମା ତାରା ତାରିଣୀ କହି ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା ବୋଲି ସେ କହିଥିଲେ । ଏଥିସହ ଜିଲ୍ଲାପାଳ ଥିବା ସମୟରେ କେମିତି ସେ ଗଞ୍ଜାମକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଚେଷ୍ଟା କରିଥିଲେ, ସେ ସମ୍ପର୍କରେ କହିଥିଲେ ଭିକେ ପାଣ୍ଡିଆନ୍ ।

ଅନ୍ୟପଟେ ବିରୋଧୀ ଶିବିର ଉପରେ ଟାର୍ଗେଟ କରି ପାଣ୍ଡିଆନ୍ କହିଥିଲେ, କିଛି ଲୋକ କେବଳ ବଡ ବଡ କଥା କହି ପଳେଇବେ । ହେଲେ ମୁଁ ଆସିଲେ ହିସାବ ନେଇକି ଆସେ । ଏଥିସହ ଗଞ୍ଜାମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଅନେକ ଯୋଜନା ସମ୍ପର୍କରେ ଖୋଲାମଞ୍ଚରେ ସୂଚନା ଦେଇଥିଲେ ପାଣ୍ଡିଆନ୍ । ସେହିପରି କିଛି ଲୋକ କେବଳ ଡବଲ ଇଞ୍ଜିନ୍ ବୋଲି ପାଟି କରୁଛନ୍ତି । ହେଲେ ନବୀନ ଇଞ୍ଜିନ୍ ହେଉଛି ସ୍ୱଚ୍ଛତାର ଇଞ୍ଜିନ ଏବଂ ଲୋକଙ୍କ ସେବା କରିବାର ଇଞ୍ଜିନ । ଡବଲ ଇଞ୍ଜିନ କେବଳ ନିର୍ବାଚନ ସମୟରେ ଶୁଣିବାକୁ ମିଳେ, ହେଲେ ନବୀନ ଇଞ୍ଜିନ କିନ୍ତୁ ଲୋକଙ୍କ ଦୁଃଖରେ, ସୁଖରେ ରହିଛି ବୋଲି ପାଣ୍ଡିଆନ୍ କହିବା ସହିତ ବିରୋଧୀ ଶିବିରକୁ ତେରେଛା ତୀର ମାରିଥିଲେ ।

ଖାଲି ସେତିକି ନାଁ ନନେଇ ବି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ୍ । ଏଭଳି ଲୋକ ଜେଲରେ ରହିବା ଉଚିତ୍, ସଂସଦକୁ ଯିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ । ଗଞ୍ଜାମବାସୀ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ଭରସା କରିବା ସହିତ ଯୋଡି ଶଙ୍ଖକୁ ଭୋଟ୍ ଦେବେ ବୋଲି ତାଙ୍କର ବିଶ୍ୱାସ ଥିବା କହିଥିଲେ ଭିକେ ପାଣ୍ଡିଆନ୍ ।