ଭୁବନେଶ୍ୱରରେ ଅପରାଜିତା ବନାମ ମନ୍ମଥ । ଅପରାଜିତାଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଜବାବ ରଖିଲେ ମନ୍ମଥ

391

କନକ ବ୍ୟୁରୋ : ଓଡ଼ିଆ ଅସ୍ମିତା ବିପଦରେ ଥିବା କହି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଭୁବନେଶ୍ୱର ସାଂସଦ । ବଡ଼ ବାବୁ, ସାନ ବାବୁ କଥା କହି ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଅପରାଜିତା ଷଡଙ୍ଗୀ । କହିଛନ୍ତି, ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ କରିବାକୁ ପ୍ରୟାସ କରୁଥିବା କହିଛନ୍ତି ଭୁବନେଶ୍ୱର ସାଂସଦ । ଦାଦନ ପ୍ରସଙ୍ଗ ଉଠାଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ଅପରାଜିତା । କହିଛନ୍ତି, ବଲାଙ୍ଗୀରର କିଛି ଅଂଚଳ ଏବଂ ହିଞ୍ଜିଳିରୁ ଅନେକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏହାସହ ଖଣି ଓ ବେକାରୀ ସମସ୍ୟା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । କହିଛନ୍ତି, ହଜାର ହଜାର କୋଟି ଟଙ୍କାର ଖଣି ଦୁର୍ନୀତିରେ ରାଜ୍ୟ ସରକାର ଶାହା କମିଶନଙ୍କ ସୁପାରିସକୁ ମାନିଲେନି । ବେକାରୀରେ ମଧ୍ୟ ଓଡ଼ିଶା ଏକ ନମ୍ବର । ୪୦ଟି ବିଭାଗରେ ଲକ୍ଷେ ପଦବୀ ଖାଲି ପଡ଼ିଥିବା ବେଳେ ଓଡ଼ିଶାର ଆଇଟି ଛାତ୍ରଛାତ୍ରୀ କାହିଁକି ବାହାରକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ସେପଟେ ଅପରାଜିତାଙ୍କ ପ୍ରତିଟି ଅଭିଯୋଗର ଟିକିନିକି ଜବାବ ରଖିଛନ୍ତି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ମିଶ୍ର । ମନ୍ମଥ କହିଛନ୍ତି, ବଡ଼ ବାବୁ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦିଅନ୍ତି । ମହିଳା ହୁଅନ୍ତି କି ବିରୋଧୀ ସମସ୍ତଙ୍କୁ ସମ୍ମାନ ଦିଅନ୍ତି ବଡ଼ ବାବୁ । ସେହିପରି ଖଣି ପ୍ରସଙ୍ଗରେ ମନ୍ମଥ କହିଛନ୍ତି, ଖଣିରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆସୁଛି । ଏହି ଅର୍ଥ ଦ୍ୱାରା ସରକାର ଗରିବ ଓ ଓଡ଼ିଶାବାସୀଙ୍କୁ ସବୁ ପ୍ରକାରର ସହାୟତା କରିପାରୁଛନ୍ତି ବୋଲ କହିଛନ୍ତି ମନ୍ମଥ ।