ପାହାଡିଆ ରାଜ୍ୟପାଇଁ କାଳ ସାଜିଛି ବରଫପାତ । ଦେଖାଯାଉନି ରାସ୍ତାଘାଟ, ସବୁଠି ଧଳା ଚାଦର ଆଚ୍ଛାଦିତ

59

କନକ ବ୍ୟୁରୋ : ଆଖି ଯୁଆଡ଼େ ବୁଲାଇବେ ସେଠି କେବଳ ବରଫ ଆଉ ବରଫ । ସତେ ଯେମିତି ପ୍ରକୃତି ଧଳା ଚାଦର ଘୋଡ଼େଇ ହୋଇଛି । ଏ ଦୃଶ୍ୟ କୈାଣସି ଫିଲ୍ମର ଆନିମେସନ ପରି ଲାଗୁଥିବ ସତ ପ୍ରକୃତରେ ଏହା ହେଉଛି ପ୍ରକୃତିର ଚିତ୍ରକାରିଗରୀ । ଏ ସୁନ୍ଦର ଦୃଶ୍ୟ କେବଳ ଗୋଟିଏ ସ୍ଥାନରେ ନୁହେଁ । ଉତରଭାରତର ବିଭିନ୍ନ ରାଜ୍ୟର । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀର , ହିମାଚଳ ପ୍ରଦେଶ , ଉତାରଖଣ୍ଡର ବିଭିନ୍ନ ଅଂଚଳରେ ହେଉଛି ପ୍ରବଳରୁ ପ୍ରବଳ । ଶ୍ରୀନଗର, ସିମଳା ଆଦି ସହର ଠାରୁ ବଜାର ଯାଏଁ ସବୁଠି ବରଫ ଧଳା ଚାଦର । ଗଛ ପତ୍ର, ଘର, ଗାଡ଼ି,ରାସ୍ତାଘାଟ ଏମିତି କୈାଣସି ସ୍ଥାନ ନାହିଁ ଯେଉଁଠି ବରଫର ଚାଦର ବିଛାଇ ହୋଇନାହିଁ । କେଦାରନାଥ ଠାରୁ ଆରମ୍ଭ କରି ମନାଲି ପର୍ଯ୍ୟନ୍ତ ବରଫ ବର୍ଷାର ଦୃଶ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ପାହାଡ଼ି ଅଂଚଳରେ ଏହି ତୁଷାରପାତ ଦେଖିବାକୁ ଜମିଛି ପର୍ଯ୍ୟଟକଙ୍କ ଭିଡ଼ ।

ଜମ୍ମୁକଶ୍ମୀରର ଅଧିକାଂଶ ସ୍ଥାନରେ ଏବେ ସର୍ବନିମ୍ନ ତାପମାତ୍ରା ମାଇନସ ଡିଗ୍ରୀରେ ରହୁଛି । ଖରାପ ପାଗ ଯୋଗୁଁ ଶ୍ରୀନଗରରେ ବିମାନସେବା ଶୁକ୍ରବାର ଠାରୁ ବନ୍ଦ ଥିବାବେଳେ ଶନିବାର ୪ଟି ଫ୍ଲାଇଟ ସେବା ସ୍ୱାଭାବିକ ହୋଇଛି । ପ୍ରବଳ ତୁଷାରପାତ ଭିତରେ ଭାରତୀୟ ସେନା ନିଜର ଅଦ୍ୟମ ସାହସ ଦେଖାଇ ସୀମାକୁ ଜଗି ରହିଛନ୍ତି । ପ୍ରବଳ ତୁଷାରପାତ ଭିତରେ ଶତ୍ରୁଙ୍କଠୁ ଦେଶକୁ ଜଗି ରହିଛନ୍ତି ବୀର ଭାରତୀୟ ସେନାର ଯବାନ । ଅନ୍ୟପଟେ ତୁଷାରପାତ ଦେଖିବାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଛି ।

ପ୍ରବଳ ତୁଷାରପାତ ଦୈନନ୍ଦିନ ଜୀବନଶୈଳୀ ଅସ୍ତବ୍ୟସ୍ତ କରିଛି । ତୁଷାରପାତ ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଆଇଏମଡି ସୂଚନା ଅନୁସାରେ ଉତର ଭାରତ ସମେତ ଦିଲ୍ଲୀ ଏନସିଆରରେ ଏପରି ଆହୁରି ୩ ଦିନ ତୁଷାରପାତ ଓ ଥଣ୍ଡା ବଢ଼ିବା ସହ ଅରେଂଜ ଅଲର୍ଟ ଜାରି କରିଛି ।