ଡାକ୍ତର ବାବୁଙ୍କ ବର୍ବର କାଣ୍ଡ । କୁକୁରକୁ କାରରେ ବାନ୍ଧି ରାସ୍ତାରେ ଘୋଷାଡିଲେ, ଜନ ଅସନ୍ତୋଷ ପରେ ଗିରଫ

246

କନକ ବ୍ୟୁରୋ: ଆଜିକାଲି ଉଚ୍ଚ ଶିକ୍ଷିତ ଅନେକ ସମୟରେ ଏପରି କାଣ୍ଡ ଘଟାଉଛନ୍ତି ଯାହା ସାରା ସମାଜକୁ ନିନ୍ଦିତ କରୁଛି । ଏପରି ଏକ ଘଟଣା ଘଟାଇଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଡାକ୍ତର । ଏକ କୁକୁରକୁ ନିଜ କାରରେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଉଥିଲେ । ଏହାର ଭିଡିଓ ସୋସିଆଲ ମିଡଆରେ ଭାଇରାଲ ହେବା ପରେ ନେଟିଜେନ୍ସମାନେ ଘୋର ପ୍ରତିବାଦ କରିଥିଲେ । ଫଳରେ ଡାକ୍ତର ବାବୁଙ୍କୁ ଗିରଫ କରାଯାଇଛି ।

ଡାକ୍ତର ଜଣକ କୁକୁରଟିକୁ କାରରେ ବାନ୍ଧି ଘୋଷାଡି ନେଉଥିବାର ଦୃଶ୍ୟ ଜଣେ ବ୍ୟକ୍ତି ନିଜ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏହାକୁ କେବଳ ୟୁଜର୍ସମାନେ ବିରୋଧ କରିଛନ୍ତି ତା’ ନୁହେଁ ବରଂ ପଶୁ ଅଧିକାର ପାଇଁ ଲଢେଇ କରିଆସୁଥିବା ମେନକା ଗାନ୍ଧୀ ମଧ୍ୟ ଏହି ଭିଡିଓ ଦେଖିବା ପରେ କଡା ବିରୋଧ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହା ପରେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଏମ୍‌ଜିଏଚ୍‌ରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ ରଜନୀଶ ଗାଲୱା ବୋଲି ଜଣାପଡ଼ିଥିଲା। ପୁଲିସ ଡାକ୍ତରଙ୍କୁ ଗିରଫ କରି ପଚରା ଉଚରା କରିବାରୁ ସେ କହିଥିଲେ, କୁକୁରଟି ତାଙ୍କ ଘର ଭିତରେ ବାରମ୍ବାର ପଶିବା ସହ ଘର ସମ୍ମୁଖରେ ଭୁକୁଥିବାରୁ ସେ ତାକୁ ନିଗମର ଏନ୍‌କ୍ଲୋଜରରେ ଛାଡ଼ିବାକୁ ନେଉଥିଲେ।

ଅନ୍ୟପକ୍ଷରେ, ଏସ୍‌ଏନ୍‌ ମେଡିକାଲ କଲେଜ ଅଧ୍ୟକ୍ଷ ଦିଲୀପ କାଞ୍ଚୱାହା ଅଭିଯୁକ୍ତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ଦେବା ପାଇଁ କହିଛନ୍ତି। ଏହି ଘଟଣାକୁ ନେଇ ପୁକର ପ୍ରାଣୀ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ଶାସ୍ତ୍ରୀନଗର ଥାନାରେ ଲିଖିତ ଅଭିଯୋଗ କରିଛି।