ଜାତିଆଣ ମନୋଭାବରୁ ଛାତ୍ର ହତ୍ୟା ଘଟଣା, ନିଜର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦେଲେ ବିଧାୟକ

169

କନକ ବ୍ୟୁରୋ : ରାଜସ୍ଥାନ ବାରୋଁ ବିଧାନସଭାର କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି କି ସ୍ୱାଧୀନତାର ୭୫ ବର୍ଷ ପରେ ରାଜ୍ୟରେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବ୍ୟଥିତ ହୋଇ ସେ ଇସ୍ତଫା ଦେଇଛନ୍ତି । ଏନେଇ ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି କି, ଏବେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି କ୍ରମରେ ମୁଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି । ହେଲେ ସ୍ୱାଧୀନତାର ୭୫ ବର୍ଷ ପରେ ରାଜ୍ୟରେ ଦଳିତ ଓ ପଛୁଆ ବର୍ଗଙ୍କ ଉପରେ ଲଗାତର ଭାବେ ହେଉଥିବା ଅତ୍ୟାଚାରରେ ବ୍ୟଥିତ ହୋଇଛି । ମୋ ସମାଜ ଆଜି ବି ଯେଉଁ ପ୍ରକାର ନିର୍ଯ୍ୟାତନାରେ ଶିକାର ହେଉଛି ତାହାକୁ ମୁଁ ଶବ୍ଦରେ କହିପାରିବ ନାହିଁ ।

କେବଳ ସେତିକି ନୁହେଁ ପାନାଚନ୍ଦ ମେଘୱାଲ କହିଛନ୍ତି କି, ରାଜ୍ୟରେ ଦଳିତ ଓ ପଛୁଆ ବର୍ଗମାନେ ମାଠିଆରୁ ପାଣି ପିଇଲେ ଦଣ୍ଡ ମିଳୁଛି । ସେମାନେ ଘୋଡାରେ ଚଢିଲେ ଆକ୍ରମଣ କରାଯାଉଛି    । ଦଳିତ ପୁରୁଷ ନିଶ ରଖିଲେ ସେମାନଙ୍କୁ ଉପହାସ କରାଯାଉଛି । ଏନେଇ ଅଭିଯୋଗ କଲେ ଯାଂଚ କରିବା ଆଳରେ ଫାଇଲକୁ ଏପଟ ସେପଟ କରାଯାଉଛି । ଏସବୁ ଦେଖିବା ପରେ ପ୍ରତୀତ ହେଉଛି କି ବାବା ସାହେବଙ୍କ ସମ୍ବିଧାନରେ ଦଳିତ ଓ ପଛୁଆବର୍ଗଙ୍କୁ ଯେଉଁ ସମାନତାର ଅଧିକାର ଦିଆଯାଇଥିଲା ତାହାକୁ ରକ୍ଷା କରିବାକୁ କେହି ନାହିଁ ।

କହିରଖୁ କି ରାଜସ୍ଥାନର ବାରୋଁ ବିଧାନସଭାରେ ଏକ ବିଦ୍ୟାଳୟରେ ଜଣେ ଦଳିତ ଛାତ୍ର ସ୍କୁଲ ମାଠିଆରୁ ପାଣି ପିଇବାରୁ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ଅମାନବୀୟ ଭାବେ ପିଟିଥିଲେ । ଏଥିରେ ଛାତ୍ର ଜଣଙ୍କ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା େବେଳ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ରାଜସ୍ଥାନ ରାଜନୀତି ଏବେ ଜୋର ଧରିଛି ।