ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯୁଦ୍ଧ… ଜୟପୁରରେ ଗେହଲଟ ଭାରି, ପାଇଲଟଙ୍କ ପଛରେ ଦିଲ୍ଲୀର ସହଯୋଗ!

95

କନକ ବ୍ୟୁରୋ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚଉକିରେ ଅଶୋକ ଗେହଲଟ ରହିବେ ନା ସଚିନ ପାଇଲଟ? ଏହି ପ୍ରଶ୍ନକୁ ନେଇ ବର୍ତ୍ତମାନ ସାଧାରଣରେ ବେସ ଚର୍ଚ୍ଚା ହେଉଛି । ଉଭୟ ଗୋଷ୍ଠୀ ପରସ୍ପର ବିରୋଧୀ ହୋଇସାରିଛନ୍ତି। କଂଗ୍ରେସ ବିଧାୟକଙ୍କ ସମର୍ଥନ ଅଶୋକ ଗେହଲଟଙ୍କ ସାଥିରେ ଥିବା ଦେଖିବାକୁ ମିଳିଥିବା ବେଳେ ସେ ଜୟପୁରରେ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିଭଳି ସଚିନ ପାଇଲଟଙ୍କ ଗୋଷ୍ଠୀ ଚୁପ ରହିଛି କିନ୍ତୁ ତାଙ୍କୁ ପାର୍ଟି ହାଇକମାଣ୍ଡଙ୍କ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଏହିଭଳି ଭାବରେ ରାଜସ୍ଥାନ କଂଗ୍ରେସରେ ସିଏମ ପଦକୁ ନେଇ ଗେହଲଟ ଏବଂ ପାଇଲଟ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇସାରିଛି । ତେବେ ଦେଖିବାକୁ ବାକି ରହିଛି କିଏ ଏଥିରେ ବାଜି ମାରିବ ।

ଶୁଣିବାକୁ ମିଳୁଛି ଯେ କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ  ପଦ ଦେବାକୁ ଚାହୁଁଛନ୍ତି । ତେବେ ଏହାକୁ ନେଇ ଗେହଲଟ ଗୋଷ୍ଠୀ ସନ୍ତୁଷ୍ଟ ନୁହନ୍ତି । ସେମାନେ ଏହା ମାନିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି । ଅଶୋକ ଗେହଲଟଙ୍କ ସମର୍ଥନରେ ଥିବା ୮୨ ବିଧାୟକ ନିଜର ଇସ୍ତଫା ପତ୍ର ବାଚସ୍ପତି ସିପି ଯୋଶୀଙ୍କୁ ହସ୍ତାନ୍ତର କରିଛନ୍ତିା ଏହି ବିଧାୟକଙ୍କ କହିବା କଥା ନୂଆ ମୁଖ୍ୟମନ୍ତ୍ରୀକୁ ଯେ କୌଣସି ବି ନିଷ୍ପତ୍ତି ନିଆଯାଉ ସେଥିରେ ଅଶୋକ ଗେହଲଟଙ୍କ ଅନୁମତି ନିଆଯାଉ । ଗେହଲଟଙ୍କ ଗୋଷ୍ଠୀ ପାଇଲଟଙ୍କୁ ଶାସନଠାରୁ ଦୂରେଇ ରଖିବା ସହ ତିନୋଟି ସର୍ତ୍ତ ଦଳର ନେତୃତ୍ୱ ଆଗରେ ରଖିଛନ୍ତି । ତେବେ ହାଇକମାଣ୍ଡ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ।

ଗେହଲଟ ଗୋଷ୍ଠୀ ଜୟପୁରରେ ୮୦ରୁ ଅଧିକ ବିଧାୟକକୁ ନେଇ ଛିଡା ହୋଇଥିବା ବେଳେ ପାଇଲଟଙ୍କ ପଛରେ କଂଗ୍ରେସର ନେତୃତ୍ୱ ରହିଛନ୍ତି । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଆଗକୁ ବଢିପାରେ । ଗେହଲଟ ଗୋଷ୍ଠୀ କୌଣସିବି ପରିସ୍ଥିତିରେ ପାଇଲଟଙ୍କୁ ସିଏମ ଭାବେ ସ୍ୱିକାର କରିବା ପାଇଁ ଚାହୁଁନାହାନ୍ତି । ଏହି କାରଣରୁ ହିଁ ଗେହଲଟ ଗୋଷ୍ଠୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ୨୦୨୦ରେ ପାଇଲଟଙ୍କ ବିଦ୍ରୋହ ବେଳେ ଯେଉଁ ୧୦୨ ବିଧାୟକ ସରକାରକୁ ବଞ୍ଚାଇଥିଲେ ସେମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରାଯାଉ, କିନ୍ତୁ ପାଇଲଟଙ୍କୁ ନୁହେଁ ।

ସେପଟେ କଂଗ୍ରେସ ହାଇକମାଣ୍ଡ ଗେହଲଟ ଗୋଷ୍ଠୀର ବିଧାୟକଙ୍କ ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହେଁ । କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କୁ ବିଧାୟକଙ୍କ ବଦଳରେ ଅଶୋକ ଗେହଲଟଙ୍କୁ ଭେଟିବାକୁ ରାହୁଲ ଗାନ୍ଧୀ କହିଥିଲେ । ଏହା ସ୍ପଷ୍ଟ କରୁଛି ଯେ ପାଇଲଟଙ୍କ ପଛରେ ଦିଲ୍ଲୀର ହାଇକମାଣ୍ଡ ଛିଡା ହୋଇରହିଛନ୍ତି ।