ଖୋଲିଲା ମା’ ସମଲେଶ୍ୱରୀଙ୍କ ଦାନ ହୁଣ୍ଡି : ଟଙ୍କା ଗଣତି ବେଳେ ମିଳିଲା ଭକ୍ତଙ୍କ ଚିଠି; ସେଥିରେ ଲେଖାଅଛି …

725

କନକ ବ୍ୟୁରୋ : ନବରାତ୍ରୀର ସମୟ ଚାଲିଛି ଏବଂ ରାଜ୍ୟର ସବୁ ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ମଧ୍ୟ ଭକ୍ତଙ୍କ ଭିଡ ଜମିଛି, ଆଉ ଏହାରି ମଧ୍ୟରେ ସମଲେଶ୍ୱରୀ ମନ୍ଦିରରୁ ଆସିଛି ଗୋଟିଏ ରୋଚକ ଖବର । ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଆଜି ଖୋଲାଯାଇଛି ,ଆଉ ଏହି ହୁଣ୍ଡିରୁ ଟଙ୍କା ସହ ମିଳିଛି ପ୍ରେମ ଚିଠି । ଏହି ଚିଠିରେ ଏମିତି କିଛି ଲେଖାଯାଇଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ଭକ୍ତ ମା’ଙ୍କ ପାଖକୁ ନିଜ ପ୍ରେମିକଙ୍କ ସହ ବାହାଘର କରାଇଦେବା ପାଇଁ ଚିଠି ଲେଖିଛନ୍ତି ଓ ମାନସିକ କରିଛନ୍ତି ।

ସେ ଲେଖିଛନ୍ତି, ମା’ ମୋ ପ୍ରେମିକ ରବିଦ୍ର ସହ ମୋର ବାହାଘର କରାଇ ଦିଅ । ଆଉ ଜଣେ ଛାତ୍ର ନିଟ୍ ପରୀକ୍ଷାରେ ପାସ୍ କରାଇଦେବା ପାଇଁ ମଧ୍ୟ ମା’ଙ୍କୁ ଚିଠି ଲେଖିଛନ୍ତି । ତେବେ ସମଲେଶ୍ୱରୀ ମନ୍ଦିରରେ ଗୋଟିଏ ପରମ୍ପରା ରହିଛି । ଏହା ଭାବାବେଗର ବିଷୟ ହୋଇଥିବାରୁ ହୁଣ୍ଡିରୁ ମିଳିବା ପରେ ଏହି ଚିଠି ଗୁଡିକୁ ଫୋପଡାଯାଏ ନାହିଁ । ମନ୍ଦିର ଟ୍ରଷ୍ଟ ବୋର୍ଡ ଏହାକୁ ସାଇତି ରଖିବାର ପରମ୍ପରା ରହିଛି । ଓଡିଆ ସହ ବଙ୍ଗାଳି ଭାଷାରେ ମଧ୍ୟ ଚିଠି ଏଥିରେ ମିଳିଛି । ପ୍ରତି ଦୁଇମାସରେ ଏହି ହୁଣ୍ଡି ଖୋଲାଯାଇଥାଏ । ଏଥର ମଧ୍ୟ ହୁଣ୍ଡି ଖୋଲିଲା ବେଳେ ଚିଠି ମିଳିଛି । କେବଳ ଏହି ମନ୍ଦିର ନୁହେଁ ଦେଶର ଅନେକ ମନ୍ଦିରରେ ଅନେକ ଲୋକ ଠାକୁରଙ୍କୁ ଚିଠି ଲେଖିବାର ନଜିର ରହିଛି ।