ରାହୁଲ ଗାନ୍ଧୀ ସଦସ୍ୟତା ରଦ୍ଦ ପରେ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । ଆଜି ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର

503

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସଂସଦୀୟ ସଦସ୍ୟତା ରଦ୍ଦ ହେବା ପରେ ଏହାକୁ ନେଇ କଂଗ୍ରେସର ସବୁ ନେତାଙ୍କ ମଧ୍ୟ ଆକ୍ରୋଶ ଦେଖା ଦେଇଛି । ରାହୁଲଙ୍କ ବିରୋଧରେ ନିଆଯାଇଥିବା ଆକ୍ସନ ବିରୋଧରେ ଏବେ ଦଳର ନେତା ବୈଠକ କରିଛନ୍ତି । ଆଉ ଆଗାମୀ ରଣନୀତି ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିଛନ୍ତି । କଂଗ୍ରେସ ବୈଠକରେ ଜଣେ ସାଂସଦ ପ୍ରସ୍ତାବ ଦେଇଥିଲେ ଯେ ସମସ୍ତ ସାଂସଦଙ୍କୁ ଇସ୍ତଫା ଦେଇଦେବା ଦରକାର । ତେବେ ଏହି ପ୍ରସ୍ତାବ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିି ନିଆଯାଇନାହିଁ । କର୍ଣ୍ଣାଟକ ନିର୍ବାଚନରେ ଦଳକୁ ପୂରା ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ବୈଠକରେ ପ୍ରିୟଙ୍କା ଗାନ୍ଧୀ କହିଥିବା ସୂଚନା ମିଳିଛି । ଯଦି କର୍ଣ୍ଣାଟକରେ ଦଳ ବିଜୟୀ ହୁଏ, ତେବେ ଏହାର ଉତ୍ତର ବିଜେପିକୁ ଆପେ ଆପେ ମିଳିଯିବ । ଏପରିକି ଏଥିପାଇଁ ଏକ କମିଟି ଗଠନ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ଏହି ବୈଠକରେ ରାଜ୍ୟ ବିଧାନସଭା ଗୁଡ଼ିକରେ ବିକ୍ଷୋଭ ପ୍ରଦର୍ଶନ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ରାଜନୈତିକ ରଣନୀତି ନେଇ ବୈଠକରେ ଆଲୋଚନା ହୋଇଛି ।

ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଅଲଗା ବୈଠକ ହୋଇଛି । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିଜାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ, ରଣଦୀନ ସୁର୍ଜେୱାଲା ଓ କେସି ଭେଣୁଗୋପାଳଙ୍କ ଭଳି ପ୍ରମୁଖ ନେତା ସାମିଲ ଥିଲେ । ତେବେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିବାର ସୂଚନା ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।