ଅଯୋଗ୍ୟ ଘୋଷିତ ପରେ ଲୋକସଭା ୱେବସାଇଟରୁ ହଟିଲା ରାହୁଲ ଗାନ୍ଧୀଙ୍କ ନାଁ । ଏବେ ୱାୟନାଡ ଆସନ ଉପରେ ସମସ୍ତଙ୍କ ନଜର, ଆଜି ରାହୁଲ କରିବେ ସାମ୍ବାଦିକ ସମ୍ମିଳନୀ

138

କନକ ବ୍ୟୁରୋ: ରାହୁଲଙ୍କୁ ଲୋକସଭା ସଚିବାଳୟ ଅଯୋଗ୍ୟ ଘୋଷଣା କରିବା ପରେ ଏବେ ବଲ୍ ନିର୍ବାଚନ କମିଶନଙ୍କ କୋର୍ଟରେ । ନିର୍ବାଚନ କମିଶନ ୱାଇନାଡ ଆସନ ଖାଲି ବୋଲି ଘୋଷଣା କରିବେ । ପରବର୍ତୀ ସମୟରେ ସେଠାରେ ସାନି ନିର୍ବାଚନ କରାଯିବ । ଲୋକସଭା ନିର୍ବାଚନକୁ ଆହୁରି ବର୍ଷେ ରହିଛି । ତେଣୁ ଆଇନଗତ ଭାବେ କୌଣସି ଆସନ ୬ ମାସରୁ ଅଧିକ ସମୟ ଖାଲି ରହିବ ନାହିଁ । ନିର୍ବାଚନ କମିଶନ ମଧ୍ୟ ୱାଇନାଡରେ ଉପନିର୍ବାଚନ କରାଇବା ଲାଗି ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି । ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ନିର୍ବାଚନ ହୋଇପାରେ । ରାହୁଲ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଯେ ପର୍ଯ୍ୟନ୍ତ ଉଚ୍ଚ ଅଦାଲତ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇ ନାହାନ୍ତି ସେ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିପାରିବେ ନାହିଁ । ଦଣ୍ଡାଦେଶ ଉପରେ ରୋକ୍ ନଲାଗିଲେ ରାହୁଲ ମୋଟ୍ ୮ ବର୍ଷ ନିର୍ବାଚନ ଲଢିପାରିବେ ନାହିଁ । କାରଣ ୨ ବର୍ଷର ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଲଢିବା ନେଇ ଆଉ ୬ ବର୍ଷର କଟକଣା ଜାରି ରହିବ । କିନ୍ତୁ ଯଦି ସେ ସୁରଟ୍ କୋର୍ଟର ଦଣ୍ଡାଦେଶ ମାମଲାରେ ଉପରକୋର୍ଟରୁ ରହିତାଦେଶ ଆଣନ୍ତି ତେବେ ତାଙ୍କର ଲୋକସଭା ସଦସ୍ୟ ପଦ ବଜାୟ ରହିବ । ଏଥି ସହ ସେ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟ ଲଢିପାରିବେ । ତେଣୁ ରାହୁଲଙ୍କ ପାଖରେ ବିକଳ୍ପ ହେଉଛି ଉପର କୋର୍ଟକୁ ଯିବା । ଉପରେ କୋର୍ଟରେ ଅପିଲ କରିବା ପାଇଁ ରାହୁଲଙ୍କୁ ୩୦ ଦିନ ସମୟ ମିଳିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାର ପ୍ରାଥମିକ ସଦସ୍ୟତା ପଦ ରଦ୍ଦ ହେବା ପରେ ଲୋକସଭା ୱେବସାଇଟରେ ମଧ୍ୟ ତାଙ୍କ ନାଁ ମଧ୍ୟ ହଟିଯାଇଛି । ଏହି ପୂରା ଘଟଣାକୁ ନେଇ କଂଗ୍ରେସ ସହ ପୂରା ବିରୋଧୀ ଦଳ ଖୁବ୍ ହଙ୍ଗାମା କରିବା ସହ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେପଟେ ଉଭୟ କଂଗ୍ରେସ ଓ ବିଜେପି ପରସ୍ପରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି । ସୁରତ ସେସନ୍ସ କୋର୍ଟ ତାଙ୍କ ଉପରେ ଯେଉଁ ଦଣ୍ଡାଦେଶ ଲଗାଇଛନ୍ତି ଏବଂ ଲୋକସଭାରୁ ସଦସ୍ୟତା ପଦ ଯିବା ପରେ ରାହୁଲ ପ୍ରଥମଥର ନିଜ ମତ ରଖିବେ । ଶୁକ୍ରବାର ଟ୍ୱିଟ୍ କରି ଲେଖିଥିଲେ, ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି । ଆଉ ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ବୋଲି ରାହୁଲ ଲେଖିଥିଲେ । ସେପଟେ ରାହୁଲଙ୍କ ପାଇଁ ପୂରା କଂଗ୍ରେସ ରଣହୁଙ୍କାର ଦେଇଛି । ଆଜି କଂଗ୍ରେସ ପୁଣି ଦେଶବ୍ୟାପୀ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିବ । ଏହାସହ ରାହୁଲଙ୍କ ପାଇଁ କଂଗ୍ରେସ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି ।