ରୁଷିଆ କବଜାରେ ‘ମାରିୟୁପୋଲ’: ୟୁକ୍ରେନର ବନ୍ଦର ସହରକୁ ଦଖଲ କରିବା ନେଇ ପୁଟିନ ଦାବି

90

କନକ ବ୍ୟୁରୋ: ୫୬ ଦିନର ଯୁଦ୍ଧ ପରେ ୟୁକ୍ରେନର ବନ୍ଦର ସହର ମାରିୟୁପୋଲକୁ ଦଖଲ କରିଛି ରୁଷିଆ ସେନା । ଅନ୍ତର୍ଜାତୀୟ ଖବର ସରବାରହ ସଂସ୍ଥା ଏଏଫପିର ରିପୋର୍ଟ ଅନୁସାରେ, ମାରୁୟୁପୋଲ ଦଖଲ ନେଇ ଘୋଷଣା କରିଛନ୍ତି ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷିଆ ରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେବଳ ଅଜୋଭସ୍ତଲ ପ୍ଲାଂଟ୍କୁ ଛାଡିଦେଲେ ବାକି ସମଗ୍ର ସହରକୁ ରୁଷିଆ ସେନା କବ୍ଜା କରି ନେଇଛି । କେବଳେ ସେତିକି ନୁହେଁ ସହରର ୯୦ ପ୍ରତିଶତ ଭାଗକୁ ଧ୍ୱଂସ କରିଦେଇଛି ପୁଟିନ୍ ବାହିନୀ । ଆଉ ଅଜୋଭସ୍ତଲ ଶିଳ୍ପାଂଚଳକୁ ଚାରିପଟୁ ଘେରାବନ୍ଦୀ କରିବାକୁ ରୁଷ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆକ୍ରମଣକାରୀ ପୁଟିନ୍ । ଦୀର୍ଘଦିନ ଧରି ଯୁଦ୍ଧ ପରେ ମାରିୟୁପୋଲ ସହରକୁ ସ୍ୱାଧିନ କରାଯାଇଥିବା ପୁଟିନ୍ କହିଛନ୍ତି । ମାରିୟୁପୋଲକୁ ଦଖଲ କରିବା ପାଇଁ ଲଗାତର ବୋମାବର୍ଷା ଓ ନୃଶଂସ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍ ।

ମାରିୟୁପୋଲକୁ ରୁଷିଆ ସେନା ଦଖଲ କରିନେଇଥିବା ଖବର ରାଷ୍ଟ୍ରପତି ପୁଟିନ୍ଙ୍କୁ ଜଣାଇଥିଲେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସରଗଇ ସୋହିଗୁ । ଜବାବରେ ପୁଟିନ୍ କହିଥିଲେ ଯେପରି ଗୋଟିଏ ମାଛି ବି ସେଠାରୁ ବର୍ତି ନପାରେ ।

ମୋର ପ୍ରସ୍ତାବ ରହିବ ଏବେ ଶିଳ୍ପାଂଚଳ ଆଡକୁ କେନ୍ଦ୍ର କର..ପରିସ୍ଥିତି ଏବେ ଯେପରି ରହିଛି ଆମକୁ ଭଲାଭାବେ ଚିନ୍ତା କରି କୌଣସି ନିଷ୍ପତି ନେବାକୁ ହେବ । ଯେଉଁଠି ଆମେ ସେନାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ଅଛି ସେଠାରେ ଅଜଥାରେ ମାଡି ହୋଇ ରହିବାର ଆବଶ୍ୟକତା ନାହିଁ । ହେଲେ ଶିଳ୍ପାଂଚଳକୁ ଚାରିପଟୁ ଘେରାବନ୍ଦୀ କର ଯେପରି ଗୋଟିଏ ମାଛି ବି ଖସି କି ନ ପଳାଏ ।

ମାରିୟୁପୋଲ ଦଖଲ ପାଇଁ ଗତ କିଛିଦିନ ହେବ ଜୋରଦାର ଆକ୍ରମଣ କରୁଥିଲା ରୁଷିଆ ସେନା । ଲଗାତର ବୋମାବର୍ଷା ଓ ନୃଶଂସ ଆକ୍ରମଣ ସତ୍ୱେ ମାରିୟୁପୋଲରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନଥିଲେ ଜେଲେନସ୍କିଙ୍କ ସେନା । ମଙ୍ଗଳବାର ଅପରାହ୍ନ ସୁଦ୍ଧା ପ୍ରଥମେ ମାରିୟୁପୋଲ ସେନାକୁ ଆତ୍ମସମର୍ପଣ କରିବା ପାଇଁ ସମୟ ଦେଇଥିଲା ରୁଷିଆ । ଏହା ପରେ ଆକ୍ରମଣକୁ ଜୋରଦାର କରି ପୁଣି ବୁଧବାର ଅପରାହ୍ନ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲା କ୍ରେମଲିନ । କିନ୍ତୁ ଜଣେ ହେଲେ ସୈନିକ ଅସ୍ତ୍ର ତ୍ୟାଗ କରିନଥିଲେ । ୟୁକ୍ରେନ ମାରିୟୁପୋଲରେ ଆତ୍ମସମର୍ପଣ କରିବ ନାହିଁ ବୋଲି ବାରମ୍ବାର ଦୋହରାଇ ଆସୁଥିଲେ ରାଷ୍ଟ୍ରପତି ଜେଲେନସ୍କି । ଫଳରେ ଏହି ବନ୍ଦର ସହରରେ ଅତି ସାଂଘାତିକ ମାନବୀୟ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ମାରିୟୁପୋଲ ଦଖଲ ପାଇଁ ଯୁଦ୍ଧର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ।

ମାରିୟୁପୋଲ ଉପରେ ଜୋରଦାର ଆକ୍ରମଣ
– ବୁଧବାର ମାରିୟୁପୋଲରେ ୧୧୦୦ଥର ଆକ୍ରମଣ କରିଛି ରୁଷିଆ ସେନା
– ୟୁକ୍ରେନ ସେନା ଓ ସାଧାରଣ ନାଗରିକଙ୍କ ଉପରେ ଆଖିବୁଜା ଗୁଳିବର୍ଷା କରିଛି ରୁଷ
– ମିଜାଇଲ ଆକ୍ରମଣରେ ସହରର ୯୦%ଅଂଚଳକୁ ଧ୍ୱଂସ କରିଦେଇଛି ରୁଷୀୟ ସେନା

ଦିନକୁ ଦିନ ନୃଶଂସ ହେବାରେ ଲାଗିଛନ୍ତି ପୁଟିନ । ମାରିୟୁପୋଲ ଦଖଲ କରିବା ରାଷ୍ଟ୍ରପତି ପୁଟିନ୍ ନିଜର ଏକ ବଡ ସଫଳତା ବୋଲି ମନେ କରୁଛନ୍ତି । ଦୀର୍ଘ ଦିନ ଧରି ଏଠାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା । ଆଉ ଏହାକୁ ଦଖଲକୁ ନେବାକୁ ନିଜ ସେନା ସମେତ ଅନ୍ୟଦେଶର ସୈନିକଙ୍କୁ ବି ନିୟୋଜିତ କରିଥିଲେ ପୁଟିନ୍ ।

ସେପଟେ ଯୁଦ୍ଧ ପରିସ୍ଥିତି ଅତ୍ୟନ୍ତ ଜଟିଳ ଓ ଅପରିବର୍ତିତ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମିର ଜେଲେନସ୍କି କହିଛନ୍ତି । ଆଗକୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ସେ ଆଶଂକା ପ୍ରକାଶ କରିିଛନ୍ତି । ମାରିୟୁପୋଲ ଷ୍ଟିଲ ପ୍ଲାଂଟରେ ବଙ୍କର ବିଧ୍ୱଂସି ବୋମା ବ୍ୟବହାର କରି ଆକ୍ରମଣ କରୁଛି ରୁଷିଆ । ସେପଟେ ଆନ୍ତର୍ଜାତୀୟ ସହାୟତା ପାଇଁ ମାରିୟୁପୋଲର ମେରାଇନ କମାଣ୍ଡର ଅପିଲ କରିଛନ୍ତି । ଏକ ଭିଡିଓ ବାର୍ତା ଜାରି କରି ମେଜର ସେରହି ଭୋଲିନା କହିଛନ୍ତି ତାଙ୍କ ସୈନ୍ୟ ଦଳ ଆତ୍ମସମର୍ପଣ କରିବ ନାହିଁ । କିନ୍ତୁ ଷ୍ଟିଲ ପ୍ଲାଂଟରେ ଲୁଚି ରହିଥିବା ୫ଶହ ଆହତ ସୈନିକ ଏବଂ ଶତାଧିକ ମହିଳା ଓ ଶିଶୁଙ୍କ ପାଇଁ ସେ ଆନ୍ତର୍ଜାତୀୟ ସହାୟତା ଚାହୁଁଛନ୍ତି । ଜେଲେନସ୍କି ମସ୍କୋକୁ ଅନୁରୋଧ କରିଛି, ରୁଷୀୟ ସେନାଙ୍କ ମୃତଦେହ ବଦଳରେ ଷ୍ଟିଲପାଂଟରେ ଆଶ୍ରୟ ନେଇଥିବା ନାଗରିକ, ଶିଶୁ ଓ ସୈନିକଙ୍କୁ ସୁରକ୍ଷିତ ଭାବେ ଛାଡିଦିଆଯାଉ ।

ୟୁକ୍ରେନର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟେରସ ୪ଦିନ ଯୁଦ୍ଧବିରତି ପାଇଁ କହିଥିଲେ । ମାତ୍ର ଯୁଦ୍ଧ ବିରତି ପାଇଁ ଜାତିସଂଘର ଅପିଲକୁ ରୁଷ ପ୍ରତ୍ୟାକ୍ଷାନ କରିଦେଇଛି । ଆଉ ଷ୍ଟିଲପାଂଟରୁ ଯେପରି ଏକ ମାଛି ବି ବର୍ତି ନପାରେ ନିଜ ରକ୍ଷା ମନ୍ତ୍ରୀଙ୍କୁ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି ।

ଦିନକୁ ଦିନ ଅମାନବିୟ ହେବାରେ ଲାଗିଛନ୍ତି ପୁଟିନ । ୟୁକ୍ରେନ ଉପରେ ବିଜୟ ଘୋଷଣା ପାଇଁ ଏତେ ବ୍ୟାକୁଳ ହୋଇଯାଇଛନ୍ତି ଯେ, ପୋକ ମାଛି ପରି ଲୋକଙ୍କୁ ମାରିବାକୁ ବି ପଛାଉ ନାହାଁନ୍ତି । ଅନ୍ତର୍ଜାତୀୟ କଟକଣା, ପାଶ୍ଚାତ୍ୟ ଦେଶର ଆର୍ଥିକ ପ୍ରତିବନ୍ଧକ ତାଙ୍କୁ କିଛି ଫରକ ପକାଉନାହିଁ । ଆଉ ସେ କୌଣସି ବି ହାଲତରେ ଯୁଦ୍ଧକୁ ଜିତିବା ପାଇଁ ଲାଗି ପଡିଛନ୍ତି ।