ମେ’ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ପ୍ରଚାର । ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୩ରେ ରାୟଗଡାରେ ରାହୁଲ କରିବେ ପ୍ରଚାର ।

195

କନକ ବ୍ୟୁରୋ: ମେ ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ଭୋଧନ କରିବା ସହ ରୋଡ ସୋ କରିବା କାର୍ଯ୍ୟକ୍ରମ ରହିଛି । ବିଜେପି ସୂତ୍ରରୁ ଏହି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ନିର୍ବାଚନ ହେବ । ତେଣୁ ଶେଷ ମୂହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି ।

ଏହି କାର୍ଯ୍ୟକ୍ରମରେ ୪ଟି ଲୋକସଭା ଆସନର ପ୍ରାର୍ଥୀ ରହିବେ । ନିର୍ବାଚନ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ତାଙ୍କ ଆଭିମ୍ରୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଦୁଇ ଦିନ ତଳେ ଏକ ସାକ୍ଷାତକାରରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରି ବିଜେପି ସରକାର ଗଢିବାକୁ ସୁଯୋଗ ଦେବାକୁ କହିଥିଲେ । ତେଣୁ ନବରଙ୍ଗପୁର ସଭାରେ ସେଭଳି ଶାଣିତ ସ୍ୱର ରହିବ ନା ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ରହିବ ତାଉପରେ ନଜର ରହିଛି । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମେ ୫ ତାରିଖରେ କଟକ ଆସୁଥିବା ସୂଚନା ମିଳିଛି ।

ଅନ୍ୟପଟେ ମେ ୩ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟଗଡାରେ ଜନସଭା କରି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ମେ ୫ ତାରିଖ କିମ୍ବା ୯ ତାରିଖରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଭଦ୍ରା ନବରଙ୍ଗପୁର ଗସ୍ତରେ ଆସିବେ ବୋଲି ସୂଚନା ରହିଛି ।