ତିନି ଦିନରେ ତିନି ଥର ଭେଟିଲେ ସୋନିଆଙ୍କୁ: କଂଗ୍ରେସକୁ ଉଦ୍ଧାର କରିବେ ପ୍ରଶାନ୍ତ କିଶୋର!

273

କନକ ବ୍ୟୁରୋ: ଦିଲ୍ଲୀ ୧୦ ଜନପଥରେ ଏବେ କଂଗ୍ରେସ ନେତାଙ୍କ ଗହଳି । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟି ଦେଇଛନ୍ତି ରୋଡ୍ ମ୍ୟାପ । ଭେଟଘାଟ ବେଳେ ପ୍ରଶାନ୍ତ କିଶୋର ଦେଇଛନ୍ତି ଗୁରୁମନ୍ତ୍ର । କିଭଳି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସକ୍ରିୟ ହେବ ଏବଂ ବିଜେପିକୁ କଡା ଚ୍ୟାଲେଞ୍ଜ ଦେବ । ସୋନିଆ ଗାନ୍ଧୀଙ୍କ ସହ ବୈଠକ ବେଳେ ପ୍ରଶାନ୍ତ କହିଛନ୍ତି, ଲୋକସଭା ଏବଂ ରାଜ୍ୟସଭାରେ ମୋଟ୍ ୯୦ ସାଂସଦ, ୮୦୦ ବିଧାୟକ ସାରା ଦେଶରେ ରହିଛନ୍ତି । ତିନୋଟି ରାଜ୍ୟରେ ଦଳ କ୍ଷମତାରେ ରହିଛି । ଆଉ ତିନୋଟି ରାଜ୍ୟରେ ମେଂଟ ସରକାରରେ ରହିଛି ।

ସେହିପରି ୧୩ ରାଜ୍ୟରେ ବିରୋଧୀ ଭୂମିକାରେ ରହିଛି କଂଗ୍ରେସ । ୧୯୮୪ ପରେ କଂଗ୍ରେସର ଭୋଟ୍ ପ୍ରତିଶତ କମୁଛି । ତେଣୁ ଆଗକୁ ବଢିବାକୁ ହେଲେ ଠୋସ୍ ପଦକ୍ଷେପ ଏବଂ ରଣନୀତି ତିଆରି ହେବା ଦରକାର । ଯଦି ଏହି କମିଟି ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ଉପରେ ମୋହର ମାରିବ ତାହେଲେ କଂଗ୍ରେସ ପାଇଁ ଏକ ବଡ ଭୂମିକା ଲିଭାଇବେ ପ୍ରଶାନ୍ତ । ଏବେ ହାଇକମାଣ୍ଡଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି ଏହି ପ୍ରସ୍ତାବ ଉପରେ ସମୀକ୍ଷା କରୁଛନ୍ତି ।

୭୨ ଘଂଟା ମଧ୍ୟରେ କମିଟି ରିପୋର୍ଟ ଦେବ ବୋଲି କୁହାଯାଉଛି । ଏହାରି ଭିତରେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରଶାନ୍ତ କିଶୋର ଭେଟିବେ ବୋଲି ଜଣାପଡିଛି । ପ୍ରଶାନ୍ତ ଦଳରେ ଯୋଗ ଦେଲେ ତାଙ୍କର ଭୂମିକା କଣ ରହିବ ଏହି ସମୟରେ ଆଲୋଚନା ହେବ ବୋଲି ଜଣାପଡିଛି ।

ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ପୂର୍ବରୁ ବିଭିନ୍ନ ରାଜ୍ୟର ନେତୃତ୍ୱ ଉପରେ ଗୁରୁତ୍ୱ ଦେଉଛି କଂଗ୍ରେସ । ଯେଉଁଥିରେ ଓଡିଶା ସମେତ ୟୁପି, ବିହାର ରହିଛି । ଏହି ସବୁ ରାଜ୍ୟରେ କଂଗ୍ରେସ ମଙ୍ଗୁଆଳ ପରିବର୍ତନ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ବେଳେ ସମସ୍ତ ଆସନ ଉପରେ ଫୋକସ କରିବା ପରିବର୍ତେ ୩୭୦ ଆସନ ଉପରେ ଫୋକସ କରିବାକୁ ପ୍ରଶାନ୍ତ ପ୍ରସ୍ତାବ ଦେଇଛନ୍ତି । ବାକି ଆସନରେ ମେଂଟରେ ଥିବା ସହଯୋଗୀଙ୍କୁ ଛାଡିବାକୁ କୁହାଯାଇଛି ।

ପ୍ରଶାନ୍ତଙ୍କ ପ୍ରସ୍ତାବ ପରେ କଂଗ୍ରେସ ଏବେ ସିଡବ୍ଲ୍ୟୁସି ବୈଠକ ଡାକିବାକୁ ପ୍ରସ୍ତୁତି କରୁଥିବା ସୂଚନା ରହିଛି । ଏହି ବୈଠକରେ ପ୍ରଶାନ୍ତଙ୍କ ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି ।