ମାଲକାନଗିରି ଘଞ୍ଚ ଜଙ୍ଗଲରେ ପୁଷ୍ପା -୨ର ସୁଟିଂ : ସିଲେରୁ ନଈ କୂଳକୁ ଟ୍ରକରେ ବୋହି ଅଣାଯାଉଛି ପ୍ରତିକାତ୍ମକ ରକ୍ତ ଚନ୍ଦନ କାଠ; ପୋଲିସକୁ ଦିଆଯାଉଛି ଚକମା

717

କନକ ବ୍ୟୁରୋ : ମାଲକାନଗିରି ଘଞ୍ଚ ଜଙ୍ଗଲରେ ଚାଲିଛି ପୁଷ୍ପା -୨ର ସୁଟିଂ । ସିଲେରୁ ନଈ କୂଳକୁ ଟ୍ରକରେ ବୋହି ଅଣାଯାଉଛି ପ୍ରତିକାତ୍ମକ ରକ୍ତ ଚନ୍ଦନ କାଠ । ମାଲକାନଗିରି ଘଞ୍ଚ ଜଙ୍ଗଲରୁ ବିଦେଶ ଯାଉଛି ଏହି ଚନ୍ଦନ କାଠ । ପୋଲିସକୁ କେମିତି ଚକମା ଦେଇ ଘଞ୍ଚ ଜଙ୍ଗଲରେ ଚୋରା ଚାଲାଣ ହେଉଛି ଚଳଚିତ୍ରର ସେହି ସିନ୍ ସୁଟିଂ କରୁଛନ୍ତିି ମୈତି ମୁଭି ମେକର୍ସ ଟିମ୍ ।

ସୂଚନାଯୋଗ୍ୟ ଗତ ୩ ଦିନ ପୂର୍ବରୁ ପୁଷ୍ପା ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସମେତ ଡାଇରେକ୍ଟର ଅଫ୍ ଫଟୋଗ୍ରାଫି ମିରେସେଲୋ କୁବା ବ୍ରୋଜେକ୍(ପୋଲାଣ୍ଡ), ମୈତ୍ରୀ ମୁଭି ମେକର୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚେରୀ, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଆସୋସିଏଟ୍ ଡାଇରେକ୍ଟର ଏମ୍ ପ୍ରସାଦ, ଫାଇଟ୍ ମାଷ୍ଟର ଡ୍ରାଗନ୍ ପ୍ରକାଶ ସମେତ ୨୫ ଜଣ ଟିମ୍ ସଦସ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ କାଲିମେଳା ବ୍ଲକ ଅନ୍ତର୍ଗତ ପୋଲୁର ଅଞ୍ଚଳରେ ପହଞ୍ଚିଥିଲେ ।

ପୋଲୁର ନିକଟରେ ନଦୀ, ପାହାଡ ଓ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଥିଲେ। ପୁଷ୍ପା ଚଳଚ୍ଚିତ୍ର ସୁଟିଂ ପାଇଁ ଏହି ସ୍ଥାନଟି ପ୍ରଯୁଜ୍ୟ ହୋଇଥିବା ବେଳେ ପ୍ରଯୋଜନା ଟିମ୍ ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପୁଷ୍ପା ଚଳଚ୍ଚିତ୍ରର ପ୍ରଥମ ଭାଗରେ ଲାଲ ଚନ୍ଦନ ଚୋରା ଚାଲାଣର ଦୃଶ୍ୟ ରହିଥିବା ବେଳେ ଏହାର ଦ୍ବିତୀୟ ଭାଗରେ ମଧ୍ୟ ସେହି ଲାଲ ଚନ୍ଦନ କାଠକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଚଳଚ୍ଚିତ୍ର ସୁଟିଂ ପାଇଁ ଆଜି ମାଲକାନଗିରି ସୀମାନ୍ତ ନଦୀ କୂଳରେ କୃତିମ ଲାଲ ଚନ୍ଦନ କାଠ ପହଞ୍ଚି ସାରିଛି । ଗୋଟିଏ ଟ୍ରକ ଯୋଗେ କାଠ ଆସିଥିବା ବେଳେ ତାହାକୁ ନଦୀ କୂଳରେ ଗଚ୍ଛିତ ରଖାଯାଇଛି। ଆହୁରି ମଧ୍ୟ କୃତିମ ଲାଲ ଚନ୍ଦନ କାଠ ଆସିବା ନେଇ ସୂଚନା ମିଳିଛି ।

କେବଳ ଯେ କୃତିମ ଲାଲ ଚନ୍ଦନ କାଠ ନୁହେଁ ତା ସହିତ ପାହାଡ ସୃଷ୍ଟି ପାଇଁ କୃତିମ ପଥର ଓ କୃତିମ ଗଛ ଓ କାଠ ଗଣ୍ଡି ମଧ୍ୟ ସେଠାରେ ପହଞ୍ଚି ସାରିଛି । ଏଥିସହ ସୁଟିଂ ଷ୍ଟେଜ ପାଇଁ ବ୍ୟବହୃତ ଅନ୍ୟାନ ସାମଗ୍ରୀକୁ ମଧ୍ୟ ସେଠାକୁ ଆଣିଥିବାର ଦେଖିବାକୁ ମିଳିଛି । ସୋମବାର ଅପରାହ୍ନ ଫାଇଟ ମାଷ୍ଟରଙ୍କ ସମେତ ଟିମ୍ ଅନ୍ୟ ସଦସ୍ୟମାନ‌େ ସୁଟିଂ କରିବା ପାଇଁ ବିଭିନ୍ନ ସ୍ଥାନକୁ ଚୟନ କରାଯାଉଛି ।