ପରିବାର ସହ ଭୋଟ ଦେଲେ ଦୀପାଳି । କହିଲେ, ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଲେ ବହୁତ ଭୋଟରେ ଜିତିବୁ ।

240

କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ । ନେତା ବାଛୁଛନ୍ତି ଝାରସୁଗୁଡାବାସୀ । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ୯ଟା ସୁଦ୍ଧା ୯.୭୫% ମତଦାନ ହୋଇଛି । ଏହାଭିତରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଥିବା ବେଳେ ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଭୋଟ ଦେଇ ସାରିବା ପରେ ଦୀପାଳି କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ । ନୂତନ ଝାରସୁଗୁଡା ନିର୍ମାଣ ପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ବହୁତ ନୂଆ ଭୋଟରଙ୍କୁ ଭେଟିଛି, ସମସ୍ତେ ଗଣତନ୍ତ୍ରର ପର୍ବରେ ସାମିଲ ହେବାକୁ ଉତ୍ସାହିତ ଅଛନ୍ତି । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ମୋ ବାପାଙ୍କୁ ଯେଉଁମାନେ ଭଲ ପାଉଥିଲେ ସେମାନଙ୍କ ପାଇଁ ଏହା ଏକ ଦୁଃଖଦ ସମୟ । ସମସ୍ତ ଝାରସୁଗୁଡାବାସୀଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ୍ କରିଛନ୍ତି ଦୀପାଳି ।

ଏହାସହ ଦୀପାଳି କହିଛନ୍ତି, ବାପା ଏହି ଆସନରେ ୩ ଥର ବିଧାୟକ ହୋଇଛନ୍ତି । ୨୦୧୯ରେ ମଧ୍ୟ ବାପା ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ । ବାପାଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଛି, ତେଣୁ ଅଧିକ ଭୋଟରେ ଜିତିବୁ ବୋଲି ଆଶା ଅଛି । ୩ ଦଳ ଯୁବ ପ୍ରାର୍ଥୀ ଦେଇଛନ୍ତି । ତେଣୁ ଯୁବବର୍ଗ ସଠିକ୍ ପ୍ରାର୍ଥୀଙ୍କୁ ବାଛିବେ । ବିଜେଡି ପୂର୍ବରୁ ଭଲ ଭୋଟରେ ଜିତିଛି, ତେଣୁ ଏହି ନିର୍ବାଚନରେ ମଧ୍ୟ ଅଧିକ ଭୋଟରେ ଜିତିବୁ ।