ସେବାୟତ କଲେ ଜଗନ୍ନାଥଙ୍କୁ ଅପମାନ ! ଗଜାନନ ବେଶ ଓଲାଗି ବେଳେ ଟପିଗଲେ ସବୁ ସୀମା,ଝାମ୍ପିନେଲେ ମହାପ୍ରଭୁଙ୍କ ବେଶ

69

କନକ ବ୍ୟୁରୋ : ରାତି ପ୍ରାୟ ୧୦ଟା ୨୫ ସମୟରେ ମହାପ୍ରଭୁଙ୍କ ବେଶ ଓଲାଗି କରାଯାଇଥିଲା । ଆଉ ଏତିକି ବେଳେ ଅସମ୍ଭାଳ ହୋଇଉଠିଥିଲେ ସେବାୟତ । ମିଳିମିଶି ଯିଏ ଯୁଆଡୁ ପାଇଲା ବେଶ ଝାମ୍ପିନେବାକୁ ଉଦ୍ୟମ କଲା । କାହାର ବି ଧ୍ୟାନ ନଥିଲା ଠାକୁରଙ୍କ ଆଖିରେ ଓ ସର୍ବାଙ୍ଗରେ ଏହା ଘଷି ହେଉଥିଲା । ହେଲେ ଏଥିପ୍ରତି କାହାର ଖାତିର୍ ନଥିଲା । ସର୍ବୋପରି ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ଏହା ଗଭୀର ଆଘାତ ଦେଇଥିଲା ।

ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟକୁ ସାରିବାକୁ ପ୍ରତିଶ୍ରୁତି ଦେଇଥିବା ସେବାୟତଙ୍କର ଏ କିଭଳି ଆଚରଣ? ବ୍ୟବସ୍ଥାବଳୀର କାହିଁକି ହେଲା ଉଲ୍ଲଂଘନ? ଜୀବନ୍ତ ଠାକୁର ଭାବେ ପୂଜା ପାଉଥିବା ମହାପ୍ରଭୁଙ୍କ ସହ ଏହି ଖେଳ କାହିଁକି? କିଛି ଏଭଳି ଦିଗକୁ ନେଇ ଏବେ ସେବାୟତଙ୍କ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କାହିଁକି ନିଜ ମନମାନୀ ଚଳାଇଛନ୍ତି ସେବାୟତ ? ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କୁ ବ୍ୟକ୍ତିଗତ ସ୍ୱାର୍ଥରେ କାହିଁକି କରୁଛନ୍ତି ବ୍ୟବହାର ?

ଖାଲି ଏତିକି ନୁହେଁ, ମହାପ୍ରଭୁଙ୍କ ମହାସ୍ନାନ ବେଳେ ସ୍ନାନଜଳକୁ କିଏ ସଂଗୃହୀତ କରିବ ସେନେଇ ମଧ୍ୟ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ହେଲେ ଏଠି ବି ଅରାଜକତା କରିଥିଲେ ସେବାୟତ । କିଏ ତଉଲିଆ ଲଗାଇ ମୁହଁରୁ ପାଣି ସଂଗ୍ରହ କରୁଥିଲା ତ ପୁଣି କିଏ ପକାଯାଉଥିବା ପାଣି ମହାପ୍ରଭୁଙ୍କ ଦେହରେ ପଡିବା ଆଗରୁ ସଂଗ୍ରହ କରିନେଉଥିଲା । ସବୁକିଛି ଚାଲିଥିଲା ଖୁଲମଖୁଲା । ହେଲେ ନାଚାର ଥିଲା ଶ୍ରୀମନ୍ଦିର ପ୍ରଶାସନ । ନୀରବଦ୍ରଷ୍ଟା ସାଜି ସେବାୟତଙ୍କ ସାମ୍ନାରେ ଆତ୍ମସମର୍ପଣ କଲା ଭଳି ଲାଗୁଥିଲା । ଏବେ କ୍ୟାମେରାରେ ସବୁ କିଛି କଏଦ ହୋଇଥିବା ବେଳେ ଅପେକ୍ଷା ରହିଲା କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି, ଶ୍ରୀମନ୍ଦିର ପ୍ରଶାସନ ।