ଶ୍ରୀମନ୍ଦିର ଐତିହ୍ୟ ବିକାଶକୁ କେନ୍ଦ୍ରୀୟ ଝଟ୍‌କା: ଜଗନ୍ନାଥ ମନ୍ଦିରର ୧୦୦ ମିଟର ବ୍ୟାସାର୍ଦ୍ଧ ହେବ ନିଷିଦ୍ଧ ଅଂଚଳ; ହୋଇପାରିବନି କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ

ଟ୍ୱିଟ କରି ଧର୍ମେନ୍ଦ୍ର କହିଲେ, ଶ୍ରୀମନ୍ଦିରର ବିକାଶରେ ବାଧା ସୃଷ୍ଟି ନକରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

87

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଜାରି କରିଛି ପ୍ରସ୍ତାବିତ ବାଇ-ଲ । ଏହି ପ୍ରସ୍ତାବିତ ବାଇ-ଲ ବା ଅଧିନିୟମରେ ଶ୍ରୀମନ୍ଦିର ଚାରିପଟରେ ବିକାଶ ଉପରେ କଟକଣା ଲଗାଯାଇଛି । ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷ ଏନେଇ ଡ୍ରାଫ୍ଟ ବାଇ-ଲ ବା ଅଧିନିୟମ ଡ୍ରାଫ୍ଟ ପ୍ରକାଶ କରିଛି ।

ଡ୍ରାଫ୍ଟ ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ପ୍ରୋହାବିଟେଡ୍ ଏରିଆ ବା ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣକୁ ବାରଣ କରାଯାଇଛି । ସବୁ ଦିଗରେ ଆହୁରି ୨୦୦ ମିଟର ପର୍ଯ୍ୟନ୍ତ ଅର୍ଥାତ ମୋଟ୍ ୩୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ୩୭ ଦଶମିକ ୦୬୧ ଏକର ଅଂଚଳ ।

ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଦଶମିକ ୩୮୫ ଏକର । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ବାଇ-ଲ ଉପରେ ଆପତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଡ୍ରାଫ୍ଟ ନିୟମାବଳୀ ପ୍ରକାଶ କରାଯାଇଛି । ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ କିର୍ତୀରାଜି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ, ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ନାସନାଲ ମନୁମେଂଟ ଅଥରିଟିର ‘ବାଇ-ଲ’ ଡ୍ରାଫ୍ଟକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଧିନିୟମ କଟକଣାଯୁକ୍ତ ଏବଂ ଶ୍ରୀମନ୍ଦିରର ଧାର୍ମିକ ଗୁରୁତ୍ୱ ଦୃଷ୍ଟିରୁ ଏଥିପାଇଁ ଅଧିକ ସମୟ ଓ ବିଚାର ଆବଶ୍ୟକ । ତାଙ୍କ ଟ୍ୱିଟରେ ଧର୍ମେନ୍ଦ୍ର କହିଛନ୍ତି, ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ତାଙ୍କୁ ଭରସା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଏପରି କୌଣସି ପଦକ୍ଷେପ ନେବେ ନାହିଁ, ଯାହା ଲୋକଙ୍କ ଭାବାବେଗ ଉପରେ ଆଂଚ ଆଣିବ । ଏବଂ ଶ୍ରୀମନ୍ଦିର ବିକାଶରେ ବାଧା ସୃଷ୍ଟି କରିବ । ସେହିପରି ପ୍ରସ୍ତାବିତ ‘ବାଇ-ଲ’କୁ ଓଡ଼ିଆରେ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।