ପୁରୀ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି : ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୨୫ ଶିଶୁ

 ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ସଂଗ୍ରହ କଲେ ଖାଦ୍ୟ ଓ ପାଣି ନମୁନା; ଗାଁରେ ଚିକିତ୍ସା ଯୋଗାଇଲା ୩ଟି ରାପିଡ ରେସପନ୍ସ ଟିମ୍

70

କନକ ବ୍ୟୁରୋ : ପୁରୀ କଣାସ ପଂଚାୟତ ସହନା ଗାଁରେ ବିବାହ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୪ଶହକୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ଭିତରେ ୨୫ ଶିଶୁ ଅଛନ୍ତି । ଜଣେ ପରେ ଜଣେ ଅସୁସ୍ଥ ହୋଇପଡିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ପହଂଚି ତଦନ୍ତ କରିଥିବାବେଳେ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ।

ସାମ୍ବାଦିକ, ଶିକ୍ଷକ, ପୋଲିସ, ତହସିଲ ଓ ବ୍ଲକ କର୍ମଚାରୀ ବି ଭୋଜି ଖାଇଥିଲେ । ହେଲେ ବିଳମ୍ବିତ ରାତିରେ ଅଚାନକ ଛାଡାବାନ୍ତି ଆରମ୍ଭ ହୋଇଯାଇଥିଲା । ଧିରେଧିରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହରେ ପହଂଚିଗଲା । କେଇ ଘଂଟା ଭିତରେ ଭର୍ତ୍ତି ହୋଇଗଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଭୋଜି ଖାଇଥିବା ଲୋକେ ଅସୁସ୍ଥ ହୋଇପଡିଥିବା ଅନୁମାନ କରାଯାଉଛି । ଜିଲ୍ଲା ଚିକିତ୍ସାଳୟର ୩ଟି ରାପିଡ ରେସ୍ପନ୍ସ ଟିମ୍ ଗାଁରେ ପହଂଛି ଚିକିତ୍ସା କରିଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସାଲାଇନ, ଇଂଜେକ୍ସନ ଏବଂ ଓଆରଏସ ଦିଆଯାଇଛି । ଗାଁରେ ଆଂଟିଡାଇରିଆଲ ଡ୍ରପ ଘରେଘରେ ବଂଟାଯିବା ପରେ ଏବେ ଲୋକେ ସୁସ୍ଥ ହେଉଛନ୍ତି ।

ମିଳିଥିବା ସୂଚନା ମୁତାବକ, ସହନା ଗାଁ’ର ମାନଗୋବିନ୍ଦ ଜୟସିଂହଙ୍କ ବଡ଼ପୁଅଙ୍କ ଗତ ୨ ତାରିଖରେ ବିବାହ ଥିଲା। ଏଥି ପାଇଁ ଗତକାଲି ପରିବାର ପକ୍ଷରୁ ଗାଁ’ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ୧୫ ଶହରୁ ଅଧିକ ଲୋକ ବି ଆସି ଭୋଜି ଖାଇଥିଲେ। ଭୋଜି ଖାଇ ସାରି ଘରକୁ ଫେରିବା ପରେ ରାତି ପ୍ରାୟ ଗୋଟାଏରେ ପ୍ରଥମେ ଦୁପୁର ଗାଁ’ର ଜଣେ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ଲାଗି ରହିବାରୁ ତାଙ୍କୁ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସମସ୍ତଙ୍କଠାରେ ଝାଡ଼ାବାନ୍ତି ସହ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖା ଦେଇଥିଲା। ଅସୁସ୍ଥଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଶଯ୍ୟା ଅଭାବ ପଡ଼ିବାରୁ ଶେଷରେ ଗୋଟିଏ ଶଯ୍ୟାରେ ଦୁଇଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିଲା। ତଥାପି ଶଯ୍ୟା ଅଭାବ ପଡ଼ିବାରୁ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସା କରାଯାଇଥିଲା।