ବିଜୟ ପାଇଁ ବିଜେପିର ହୋମଯଜ୍ଞ । ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ପାଇଁ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା । ସେପଟେ ସୁଦଶା ବ୍ରତ କରି ଭୋଟ୍ ଦେଲେ ଅବନ୍ତୀ ଦାସ ।

126

କନକ ବ୍ୟୁରୋ: ଆଜି ଧାମନଗରରେ ଭୋଟ୍ ପଡିବାବେଳେ କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଗୋଟିଏ ପଟେ ବିଜେଡି ପ୍ରାର୍ଥୀଙ୍କ ସୁଦଶା ବ୍ରତ ପାଇଁ ପୂଜା, ଆଉ ଗୋଟିଏ ପଟେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ହୋମ ଯଜ୍ଞ ଚର୍ଚ୍ଚାର ବିଷୟ ହୋଇଛି । ଭୋଟ୍ ଦେବା ପାଇଁ ଯିବା ପୂର୍ବରୁ ବିଜେଡି ପ୍ରାର୍ଥୀ, ବଡ଼ି ଭୋର ଉଠି ମା’ ଲକ୍ଷ୍ମୀଙ୍କ ସୁଦଶା ବ୍ରତ କରିଥିଲେ । ଆଉ ସ୍ୱାମୀଙ୍କ ଆର୍ଶୀବାଦ ନେଇ ଭୋଟ ଦେବାକୁ ଯାଇଥଲେ । ସେପଟେ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ କାମନା କରି ଯଜ୍ଞ କରିଛନ୍ତି ବିଜେପି ନେତୃବୃନ୍ଦ । ଧାମନଗରରେ ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ପାଇଁ ମା’ ଭଦ୍ରକାଳୀ ପୀଠରେ ଆଳତୀ ଓ ଯଜ୍ଞ କରାଯାଇଛି ।

ଭୋଟ୍ ରାଜନୀତିର କୋଳାହଳ ଭିତରେ ବେଳେବେଳେ ଏମିତି ରୋଚକ ଦୃଶ୍ୟ ସାମ୍ନାକୁ ଆସେ, ଯାହା ଭାବପ୍ରବଣତାକୁ ଛୁଇଁବା ପାଇଁ ବେଶ ଖୋରାକ୍୍ ଯୋଗାଏ । ଗୋଟିଏ ପଟେ ବିଜେଡି ପ୍ରାର୍ଥୀଙ୍କ ସୁଦଶା ବ୍ରତ ପାଇଁ ପୂଜା, ଆଉ ଗୋଟିଏ ପଟେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ହୋମ ଯଜ୍ଞ । ଭୋଟ୍ ଦେବା ପାଇଁ ଯିବା ପୂର୍ବରୁ ବିଜେଡି ପ୍ରାର୍ଥୀ, ବଡ଼ି ଭୋର ଉଠି ମା’ ଲକ୍ଷ୍ମୀଙ୍କ ସୁଦଶା ବ୍ରତ କରିଥିଲେ । ଏହା ପରେ ସ୍ୱାମୀଙ୍କ ଆର୍ଶୀବାଦ ନେଇ, ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ବାହାରିଥିଲେ । ଶ୍ୱେତବସ୍ତ୍ର ପରିଧାନ କରି ଯିବା ସମୟରେ କାହାକୁ ବାଟରେ ମୁଣ୍ଡିଆ ମାରୁଥିଲେ ତ’ କାହାକୁ ନମସ୍କାର ପକାଉଥିଲେ । ଏହାରି ଭିତରେ ମତଦାନ କରିଥିଲେ । ତେବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କହିଛନ୍ତି, ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ରହିଛି ।

ଏପଟେ ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ କାମନା କରି ଯଜ୍ଞ କରିଛନ୍ତି ବିଜେପି ନେତୃବୃନ୍ଦ । ଧାମନଗରରେ ସୂର୍ଯ୍ୟବଂଶୀ ସୁରଜଙ୍କ ବିଜୟ ପାଇଁ ମା’ ଭଦ୍ରକାଳୀ ପୀଠରେ ଆଳତୀ ଓ ଯଜ୍ଞ କରାଯାଇଛି । ଯଜ୍ଞ ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ବରିଷ୍ଠ ନେତା ମନମୋହନ ସାମଲ, ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବିଧାୟକ ଲାଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ କାଳନ୍ଦି ସାମଲ, ଠାକୁର ରଣଜୀତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୋଟ ରାଜନୀତିରେ ଭାବପ୍ରବଣତାର ଏହି ସ୍ରୋତ କେଉଁ ରୂପରେ ସାମ୍ନାକୁ ଆସିବ, ତାହା ଆସନ୍ତା ୬ ତାରିଖରେ ସ୍ପଷ୍ଟ ହୋଇଯିବ, ଯେତେବେଳେ ଉପ-ନିର୍ବାଚନର ଫଳାଫଳ ଆସିବ । ତେବେ ଦେଖିବାର କଥା, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସୁଦଶା ବ୍ରତ ଶୁଭ ଖବର ଆଣୁଛି ନା’ ବିଜେପିର ଯଜ୍ଞ ପାଠ ଭଲ ଖବର ଆଣୁଛି ।