ନେତା ବାଛିଲା ଧାମନଗର । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ କାଉଣ୍ଟିଂ ।

179

କନକ ବ୍ୟୁରୋ: କଡା ସୁରକ୍ଷା ମଧ୍ୟରେ ସରିଛି ଧାମନଗର ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି । ଭୋଟଦାନ ପାଇଁ ଆଜି ସକାଳୁ ବୁଥରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମରୁ ତିନି ପ୍ରାର୍ଥୀ ନିଜର ଗୁରୁତ୍ୱପୂର୍ଣ୍ଣ ମତ ସାବ୍ୟସ୍ତ କରିଥିଲେ । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ପଞ୍ଚାୟତରେ ମତଦାନ କରିଥିବାବେଳେ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଧାମନଗର ଏନଏସିରେ ଭୋଟ ଦେଇଛନ୍ତି । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ଗାଁ କାଁପଡାରେ ଭୋଟ ଦେଇଛନ୍ତି । ମାତ୍ର ଭୋଟର ଲିଷ୍ଟରେ ନାଁ ନଥିବାରୁ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, କିନ୍ତୁ ସେ ବିଭିନ୍ନ ବୁଥ ବୁଲିଛନ୍ତି ।

ସନ୍ଧ୍ୟା ଯାଏଁ ବିଭିନ୍ନ ବୁଥରେ ଲୋକେ ଧାଡିରେ ଆସି ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପରେ ମଧ୍ୟ କିଛି ବୁଥରେ ଭୋଟ ଗ୍ରହଣ ଚାଲିଥିଲା । ସନ୍ଧ୍ୟା ୬ଟା ପରେ ବୁଥକୁ ପ୍ରବେଶ କରିଥିବା ଲୋକଙ୍କୁ ସ୍ଲିପ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗତ ସାଧାରଣ ନିର୍ବାଚନରୁ ଚଳିତ ଉପନିର୍ବାଚନରେ ଅଧିକ ମତଦାନ ହୋଇଥିବା ସେ ସୂଚନା ଦେଇଛନ୍ତି । କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ୭୧.୦୧ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଉପ ନିର୍ବାଚନରେ ଏହାଠୁ ଅଧିକ କିମ୍ବା ପାଖପାଖ ଭୋଟିଂ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଗୋଟିଏ ଦୁଇଟି ସ୍ଥାନରେ କାଁ ଭାଁ ବିଶୃଙ୍ଖଳାକୁ ଛାଡି ଦେଲେ ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି ।

  • ଭୋଟ ଦେଲା ଧାମନଗର
  • ଇଭିଏମରେ ସିଲ୍, ପ୍ରାର୍ଥୀଙ୍କ ଭାଗ୍ୟ

ବହୁ ପ୍ରତିକ୍ଷୀତ ଧାମନଗର ଉପନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଧାମନଗର ପାଇଁ ନେତା ବାଛିଛନ୍ତି ଧାମନଗରର ଭୋଟର । ଆଉ ଇଭିଏମରେ ସିଲ୍ ହୋଇଯାଇଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ୫ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଧାମନଗର ଉପନିର୍ବାଚନ ଉପରେ ସାରାରାଜ୍ୟର ନଜର ରହିଥିବାବେଳେ, ଭୋଟ ଦେବାକୁ ଧାମନଗରବାସୀଙ୍କ ଭିତରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଧାଡି ଲଗାଇଥିଲେ ଭୋଟର । ଆଉ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିଛନ୍ତି ।

ଧାମନଗରରେ ଭୋଟ ଗ୍ରହଣକୁ ନେଇ ମାହୋଲ ସରଗରମ ଥିବାବେଳେ ବୁଥମାନଙ୍କରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ସ୍କୁଲର ପିଲାମାନେ ସ୍ୱେଛାସେବୀ ଭାବେ ବୟସ୍କ ଲୋକମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ସହ ଭୋଟ ଦେବାରେ ସହାୟତା କରିଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କୁଲ ପିଲାମାନେ ଏହି ସେବା ଯୋଗାଇଥିଲେ । ଅନ୍ୟପଟେ ମତଦାନ ଚାଲିଥିବାବେଳେ ବୁଥ୍ ବୁଥ୍ ବୁଲିଥିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ । ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟକ । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଯେତେବେଳେ ଏକ ବୁଥକୁ ଯାଇଥିଲେ ସେହି ସମୟରେ ଜଣେ ବୟସ୍କା ମହିଳା ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଫଟୋକୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଆଉ ସୂରଜଙ୍କୁ ଦେଖି ମହିଳା ଜଣଙ୍କ ତାଙ୍କୁ ବି ଆର୍ଶୀବାଦ କରିଥିଲେ । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ନିର୍ବାଚନ ସମୟରେ କୌଣସି ସ୍ଥାନରୁ ବଡ ଧରଣର ଗଣ୍ଡଗୋଳର ଖବର ଆସିନଥିଲେ ବି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଗାଡିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଭୋଟ୍ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲାଗିଥିବାରୁ ବିରୋଧ କରିଥିଲେ ଲୋକେ । ଯାହାକୁ ନେଇ କିଛି ସମୟ ପାଇଁ କାଁପଡା ବୁଥ ବାହାରେ ଉତ୍ତେଜନା ଲାଗି ରହିଥିଲା । ତେବେ ଏସବୁ ଭିତରେ ଶେଷ ହୋଇଛି ମତଦାନ । ଏବେ ୬ ତାରିଖରେ ଗଣତି ହେବାକୁ ଥିବା ନିର୍ବାଚନ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ।