ରାଜନୀତି ବଦଳୁଛି ଏମିତି । ଝାରସୁଗୁଡା ଉପନିର୍ବାଚନ ହେଭିୱେଟ୍ ତାଲିକାରୁ ବାଦ୍ ପଡିଲେ ସୁଶାନ୍ତ ସିଂ । ପ୍ରଶ୍ନ ଉଠାଇଲେ ବିରୋଧୀ…

479

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପୂରା ଦମରେ ଲାଗିପଡିଛି ବିଜେଡି । କେଉଁ ଅଞ୍ଚଳ କିଏ ସମ୍ଭାଳିବ, କିଏ କେଉଁ ଦାୟିତ୍ୱରେ ରହିବେ, ଗୋଟି ଗୋଟି କରି ନେତାଙ୍କୁ ଦାୟିତ୍ୱ ଦେଉଛି ଦଳ । ନେତା ଏବେ ନିର୍ବାଚନୀ ମୈଦାନ ମୁହାଁ ହେଲେଣି । ହେଲେ ଝାରସୁଗୁଡାରେ ପଶ୍ଚିମ ଓଡିଶାରେ ବିଜେଡିର ଅନ୍ୟତମ ଟାଣୁଆ ନେତା ସୁଶାନ୍ତ ସିଂଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପଦ୍ମପୁର, ବିଜେପୁର, ବ୍ରଜରାଜନଗର – ବରଗଡ ସଂସଦୀୟ କ୍ଷେତ୍ରରେ ଥିବା ଏହି ତିନି ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନ ପ୍ରଚାରର ଆଗରେ ଥିଲେ ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆଗରେ ରହି ପ୍ରଚାର କରୁଥିଲେ ସୁଶାନ୍ତ । ଏମିତିକି ସେ ସମୟରେ ସୁଶାନ୍ତଙ୍କୁ ମଞ୍ଚ ଉପରେ ପାଖରେ ବସାଇ ଭିନ୍ନ ବାର୍ତ୍ତା ଦେଇଥିଲେ ସୁପିମୋ । ସେ ସମୟରେ ସୁଶାନ୍ତଙ୍କୁ କୁହାଯାଉଥିଲା ସିଂ ଇଜ୍ କିଙ୍ଗ୍ । ଆଉ ସୁଶାନ୍ତ ବି ଦଳର ଭରସାକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲେ । ତିନୋଟି ଯାକ ଉପନିର୍ବାଚନରେ ବିଜୟୀ ହୋଇଥିଲା ଦଳ । କିନ୍ତୁ ଏବେ ସେହି ବରଗଡ ସଂସଦୀୟ କ୍ଷେତ୍ରରେ ଥିବା ଝାରସୁଗୁଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବାବେଳେ, ସୁଶାନ୍ତଙ୍କ ଦେଖାମିଳୁନାହିଁ । ଯାହା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

  • ହେଭିୱେଟ୍ ତାଲିକାରେ ନାହାନ୍ତି ସୁଶାନ୍ତ
  • ସମାଲୋଚନା ପାଇଁ ବିରୋଧୀଙ୍କୁ ସୁଯୋଗ

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଯେତେବେଳେ ଜୋରଦାର ପ୍ରସ୍ତୁତି କରୁଛି । କେଉଁ ନେତା କେଉଁ ଅଞ୍ଚଳ ଦାୟିତ୍ୱରେ ରହିବେ, ଦଳ ପକ୍ଷରୁ ଦାୟିତ୍ୱ ବଣ୍ଟାଯାଇଛି, ସେତିକିବେଳେ, ସୁଶାନ୍ତ ସିଂଙ୍କ ନା ନଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପଶ୍ଚିମ ଓଡିଶାର ଅନ୍ୟତମ ଟାଣୁଆ ନେତା ହୋଇଥିଲେ ବି ଝାରସୁଗୁଡାରେ ତାଙ୍କୁ ଦେଖିବାକୁ ନମିଳିବା, ବିରୋଧୀଙ୍କୁ ସମାଲେଚାନା ପାଇଁ ଏକ ସୁଯୋଗ ଆଣି ଦେଇଛି ।

ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ଜାଣିଶୁଣି ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ଦିଆଯାଇଛି । ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା । ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ସୁଶାନ୍ତଙ୍କୁ କାହିଁକି ତାଲିକାରୁ ବାଦ ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଜେଡି ନେତା କହିଛନ୍ତି, ବିରୋଧୀ ଦଳ ବହୁତ କଥା କହୁଛନ୍ତି । ଏମିତି କଣ ମାନେ ଅଛି, ଜଣେ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟିତ୍ୱ ଦିଆଯିବ । ସେ ଅଞ୍ଚଳରେ ବିଜେଡିର ଆହୁରି ଆକ୍ଟିଭ୍ ନେତା ଅଛନ୍ତି ବୋଲି ବିଜେଡି କହିଛି । ତେବେ ସୁଶାନ୍ତଙ୍କ ନାଁ ହେଭିୱେଟ୍ ତାଲିକାରେ ନ ନରହିବା, ପଛରେ ଏକାଧିକ କାରଣ ଥିବା ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅନୁସାରେ…

କାରଣ ନଂ-୧

ନବ ଦାସଙ୍କ ହତ୍ୟାରେ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ ବିରୋଧୀ

କାରଣ ନଂ-୨

ସୁଶାନ୍ତ ଝାରସୁଗୁଡା ଆସି ପ୍ରଚାର କରନ୍ତୁ ବୋଲି ନବ ଦାସଙ୍କ ସମର୍ଥକ ଚାହୁଁନାହାନ୍ତି

କାରଣ ନଂ-୩

ନକଲି ସାର୍ଟିଫିକେଟ ରାକେଟର ମାଷ୍ଟରମାଇଣ୍ଡ ସହ ସୁଶାନ୍ତଙ୍କ ଫଟୋ ଦେଖାଇଥିଲେ ବିରୋଧୀ

ପୂର୍ବରୁ ସୁଶାନ୍ତ ସିଂ ଓ ନବ ଦାଙ୍କ ମଧ୍ୟରେ ବିବାଦ ଥିବା ଚର୍ଚ୍ଚା ହେଉଥିବାରୁ, ତାଙ୍କୁ ସାମନାକୁ ଆଣି ଶାସକ ଦଳ କୌଣସି ରିସ୍କ ନେବାକୁ ଚାହୁଁନଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ସୁଶାନ୍ତ ।