ନବରଙ୍ଗପୁର ଉମରକୋଟରେ ଡାକ୍ତର ବଦଳିକୁ ନେଇ ରାଜନୀତି: ଡାକ୍ତର ବଦଳି ଦାବି କରି ଧାରଣା ଦେଇଛି କଂଗ୍ରେସ

99

କନକ ବ୍ୟୁରୋ: ଡାକ୍ତର ବଦଳିକୁ ନେଇ ରାଜନୀତି, କଂଗ୍ରେସ ବଦଳି ଦାବି କରୁଥିବା ବେଳେ ବଦଳିକୁ ବିରୋଧ କରୁଛି ନାଗରିକ ମଂଚ । ଡାକ୍ତରଙ୍କ ବଦଳି ଦାବି କରି ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ କଂଗ୍ରେସ ଧାରଣା ଦେଇଥିବା ବେଳେ ଅପରପକ୍ଷେ ଆଶା କର୍ମୀ ସଂଘ ଓ ଉମରକୋଟ ନାଗରିକ ମଂଚ ତରଫରୁ ସମ୍ପୃକ୍ତ ଡାକ୍ତରଙ୍କ ସପକ୍ଷରେ ଧାରଣା ଦେଇଛନ୍ତି । ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏକ ରୋଚକ ପରିସ୍ଥିତି ସୃଷ୍ଟି ହେଇଛି । ସୂଚନ । ଅନୁସାରେ, ଗତ ୧୫ ତାରିଖରେ ଜଣେ ଗର୍ଭବତୀ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା । ମହିଳାଙ୍କ ପାଇଁ ରକ୍ତ ସହ ଅପରେସନ୍ର ଆବଶ୍ୟକ ହେଉଥିଲା । ତେବେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ ଡାକ୍ତର ସୁମନ୍ତ ରାହୁଳ । ଗର୍ଭବତୀଙ୍କୁ ନବରଙ୍ଗପୁରକୁ ନେବା ବାଟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଚିକିତ୍ସକଙ୍କ ଅବହେଳା ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

କଂଗ୍ରେସ ଏହାକୁ ସମର୍ଥନ କରିବା ସହ ଚିକିତ୍ସକଙ୍କ ବଦଳି ଦାବିରେ ଆଜି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି । ଅନ୍ୟପକ୍ଷରେ ଆଶା କର୍ମୀ ସଙ୍ଘ ଓ ଓ ଉମରକୋଟ ନାଗରିକ ମଂଚ ଡାକ୍ତର ସୁମନ୍ତ ରାହୁଳଙ୍କୁ ବଦଳି ନକରିବା ଦାବୀରେ ଧାରଣା ଦେଇଛନ୍ତି । ଶତାଧିକ ମହିଳା ଓ ପୁରୁଷ ମଧ୍ୟ ସୁମନ୍ତ ରାହୁଳଙ୍କୁ ବଦଳି ନକରିବା ଦାବୀରେ ଧାରଣାରେ ବସିଛନ୍ତି । ତେବେ କଂଗ୍ରେସ ଆକ୍ରୋଶ ମୂଳକ ଭାବେ ଡାକ୍ତରଙ୍କ ବଦଳି ଦାବି କରୁଥିବା ଉମରକୋଟ ନାଗରିକ ମଂଚ ପକ୍ଷରୁ କୁହାଯାଇଛି । କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖରେ ଡାକ୍ତରଙ୍କୁ ଟଙ୍କା ମଗାଯାଇଥିଲା । ଡାକ୍ତର ଟଙ୍କା ନଦେବାରୁ ତାଙ୍କ ବିରୋଧରେ ବାହାରିଛି କଂଗ୍ରେସ । ସେପଟେ କଂଗ୍ରେସ କର୍ମୀ ଏହାକୁ ଖଣ୍ଡନ କରିଛନ୍ତି । ଉମରକୋଟ ପରି ଉପାନ୍ତ ଅଂଚଳରେ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୁତୀ ବିଶେସଜ୍ଞ ଡାକ୍ତର ଅଛନ୍ତି । ଜଣେ ଡାକ୍ତର ୪ଟି ବ୍ଲକକୁ ସମ୍ଭାଳୁଥିବା ବେଳେ ଯଦି ଡାକ୍ତରକୁ ବଦଳି କରାଯାଏ ତାହେଲେ ଲୋକ ବିଭିନ୍ନ ଅସୁବିଧାରେ ସମୁଖୀନ ହେବେ । ଏହି ଘଟଣାକୁ ରାଜନୀତି ନକରି ଡାକ୍ତରଙ୍କୁ ରହିବାକୁ ଦିଆଯାଉ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।