ବିବାଦ ଭିତରେ ବଢୁଛି ଦ କେରଳ ଷ୍ଟୋରୀର ଚାହିଦା । ବକ୍ସ ଅଫିସରେ କରୁଛି କମାଲ, ସେପଟେ ଦର୍ଶକଙ୍କୁ ମାଗଣାରେ ଚା’ କଫି ଦେଉଛନ୍ତି ସୁରଟ ଚା ଦୋକାନୀ

95

କନକ ବ୍ୟୁରୋ : ଦ କେରଳ ଷ୍ଟୋରୀ । ବେଶ କିଛି ଦିନ ହେବ ଏହି ଫିଲ୍ମକୁ ନେଇ ଚାଲିଛି ଚର୍ଚ୍ଚା । କେଉଁଠି ସମର୍ଥନ ତ ପୁଣି କେଉଁଠି ଜୋରଦାର ବିକ୍ଷୋଭ । ଏହା ଭିତରେ ଗୁଜରାଟ ସୁରଟର ଜଣେ ଚା’ ଦୋକାନୀ ଦର୍ଶକଙ୍କୁ ଦେଉଛନ୍ତି ମାଗଣା କଫି ଓ ଚା’ । ସେପଟେ ବିଜେପି ଶାସିତ ରାଜ୍ୟରେ ଫିଲ୍ମ ଉପରେ ଟିକସ ଛାଡକୁ ନେଇ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସ କହିଛି ମନଗଢା କାହାଣୀକୁ ସମର୍ଥନ କରି ବିଜେପି କେରଳ ରାଜ୍ୟକୁ ବଦନାମ କରୁଛି । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଫିଲ୍ମ ବ୍ୟାନ ପରେ ଏନେଇ ଜବାବ ରଖିଛି ବିଜେପି । ଫିଲ୍ମ ଆତଙ୍କବାଦର କଥା କହୁଛି ଓ ଏହାକୁ ଲୁଚାଇବା ପାଇଁ ଫିଲ୍ମକୁ ବ୍ୟାନ କରାଯାଉଥିବା କହିଛି ବିଜେପି ।

ଦ କଶ୍ମୀର ଫାଇଲସ ପରି ଦ କେରଳ ଷ୍ଟୋରୀର ସ୍ପେଶାଲ ସ୍କ୍ରିନିଂରେ ପହଁଚୁଛନ୍ତି ବିଜେପି ନେତା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଫିଲ୍ମକୁ ଦେଖିବା ପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଯେଉଁ ଦଳ ଫିଲ୍ମକୁ ବିରୋଧ କରୁଛନ୍ତି ସେମାନେ ଆତଙ୍କବାଦକୁ ସମର୍ଥନ କରୁଥିବା କହିଛନ୍ତି ସ୍ମୃତି ଇରାନୀ । ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ସପରିବାର ସହ ମୁମ୍ବାଇରେ ଦେଖିଛନ୍ତି ଦ କେରଳ ଷ୍ଟୋରୀ । ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଫିଲ୍ମକୁ ଦେଖିବା ସହ ଏହାକୁ ବିରୋଧ କରୁଥିବା ଦଳଙ୍କୁ ଟାର୍ଗେଟ କରିଥିଲେ ।

ବାଦ ବିବାଦ ଭିତରେ ଫିଲ୍ମ କେରଳ ଷ୍ଟୋରୀ ଏବେ ପହଁଚିଛି ସୁପ୍ରିମକୋର୍ଟରେ ।ପଶ୍ଚିମବଙ୍ଗର ବ୍ୟାନ ହଟାଇବା ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି ।ସେପଟେ କେରଳ ସରକାର ପୂରା ରାଜ୍ୟରେ ବ୍ୟାନ ଲଗାଇବାକୁ କରିିଥିବା ଆବେଦନକୁ କେରଳ କୋର୍ଟ ଖାରଜ କରିଛନ୍ତି । ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଁଚିଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ସିବଲ