ପରୀ ପସଙ୍ଗରେ ଅକଳରେ ପଡ଼ିଥିବା ନୟାଗଡ଼ ପୋଲିସର ହଜିଲା ନିଦ । ୩ ବର୍ଷର ନିଖୋଜ ଶିଶୁ ସ୍ୱାତୀକୁ ଖୋଜିବା ପାଇଁ ୩ ଦିନି ଧରି କସରତ କରୁଛି ପୋଲିସ

172

କନକ ବ୍ୟୁରୋ : ପରୀ ମାମଲାରେ ବିରୋଧୀଙ୍କ ଚାପରେ ଚେପା ହୋଇଯାଇଥିବା ନୟାଗଡ ପୋଲିସ ୩ ବର୍ଷର ଶିଶୁ ସ୍ୱାତୀ ନିଖୋଜ ମାମଲାରେ ତତ୍ପର ହୋଇପଡିଛି । ଗାଁ ପୋଖରୀରେ ବୁଡମାରି ତନ୍ନତନ୍ନ କରି ଖୋଜୁଛନ୍ତି ଓଡ୍ରାଫ ଟିମ୍ । ୩ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛି ସ୍ୱାତୀ । ବାଡି ପଛପଟେ ଖେଳୁଥିବାବେଳେ ନିରୁଦ୍ଦିଷ୍ଟ ହୋଇଯାଇଛି । ଦମକଳ ବାହିନୀ ସହାୟତାରେ ସ୍ୱାତୀକୁ ଖୋଜୁଛି ନୟାଗଡ ପୋଲିସ । କାଳେ ପୋଖରୀ କିମ୍ବା କୂଅରେ ବୁଡି ଯାଇଥିବ ସ୍ୱାତୀ, ସେହି ସନ୍ଦେହରେ ଜୋରଦାର ଚାଲିଛି ଖାନତଲାସ ।

ଏପରିକି ଖୋଦ ଏସପି ପ୍ରତ୍ୟୁଷ ଦିବାକର ବଧିପାଟଣା ଗାଁରେ ଛାନଭିନର ତଦାରଖ କରୁଛନ୍ତି । ଘରକୁ ଘର ବୁଲି ସ୍ୱାତୀ ବାବଦରେ ତଥ୍ୟ ସଂଗ୍ରହ ଚାଲିଛି । ସେହିଭଳି ଅପହରଣ ଅଭିଯୋଗ ଆଧାରରେ ଆଉଏକ ଟିମ୍ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରୁଥିବା ଏସପି ସୂଚନା ଦେଇଛନ୍ତି ।

କୁଆଡେ ଗଲା ଭଉଣୀ ସ୍ୱାତୀ? ତିନିଦିନ ହେଲା ତାକୁ ଦେଖିନାହିଁ କିମ୍ବା ତାକୁ ଖୋଜି ପାଉନାହିଁ । କାହାସାଙ୍ଗେ ଆଉ ଖେଳିବ, ଅଝଟ ହେବ, ସେହିକଥା ଭାବିଭାବି ତା ପାଟିକୁ ଖାଦ୍ୟ ରୁଚୁନି । ଜାଆଁଳା ଭଉଣୀ ସହ ସବୁବେଳେ ସମୟ ବିତାଉଥିବା ଜାଆଁଳା ଉଭଣୀ ସୁଇଟି କଥା କହିନପାରିଲେ ବି ମନେମନେ ଭଉଣୀକୁ ଖୋଜି ହେଉଛି ।

ନୟାଗଡ ରାଜସୁନାଖଳା ଥାନା ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ବାଡିପଟେ ଖେଳୁଥିବାବେଳେ କେଉଁଆଡେ ନିଖୋଜ ହୋଇଯାଇଛି । ଦିନ ୨ଟା ବେଳେ ମାଆ ତାକୁ ଖୋଜାଖୋଜି କରିବାବେଳେ ଆଉ ମିଲିନଥିଲା ସ୍ୱାତୀ । ଗାଁକୁ ଆସିଥିବା କିଛି ଫେରିବାଲା ସ୍ୱାତୀକୁ ଅପହରଣ କରିନେଇଥିବା ସନ୍ଦେହ କରୁଛନ୍ତି ତାର ବାପା, ମାଆ ।

ଯଦୁପୁର ଗାଁର ପରୀ ପ୍ରସଙ୍ଗରେ ନୟାଗଡ ପୋଲିସଠାରୁ ଆରମ୍ଭ କରି ପ୍ରଶାସନ ଏପରିକି ସରକାରଙ୍କ ଉପରକୁ ଅଙ୍ଗୁଳି ଉଠୁଛି । ତେଣୁ ସେହି ନୟାଗଡ ଜିଲ୍ଲାରୁ ପୁଣିଜଣେ ଶିଶୁ ରହସ୍ୟମୟ ଭାବେ ନିଖୋଜ ହୋଇଯିବା ଘଟଣା ପୋଲିସର ନିଦ ହଜାଇ ଦେଇଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସ କିଛି ଠୋସ ସୂରାଗ ପାଇପାରି ନାହିଁ । ତଥାପି ସ୍ୱାତୀକୁ ଖୋଜି ବାହାର କରିବା ପାଇଁ ସବୁ ଜୋର ଲଗାଇ ଦେଇଛି ନୟାଗଡ ପୋଲିସ ।