ଜଗା ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର

85

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ପୁଣି ଥରେ ଭକ୍ତ ଓ ଭଗବାନଙ୍କର ମିଳନ ହେବ । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ ।

ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ପ୍ରଶାସନ । ବଡଦାଣ୍ଡରେ ସେଡ ଲଗାଇବା ସହ ବ୍ୟାରିକେଡିଂ କାମ ଜୋରସୋରରେ ଆଗେଇ ଚାଲିଛି । ସେହିପରି ପରିବେଶକୁ ସବୁଜିମାମୟ କରାଯାଉଛି ।

ଜଗା ଦର୍ଶନ ପାଇଁ କୋଟି କୋଟି ଭକ୍ତ ଚାହିଁ ରହିଥିବା ବେଳେ ଦର୍ଶନ ପାଇଁ ମନ୍ଦିର ପ୍ରବେଶକୁ ନେଇ ପ୍ରଶାସନ ପକ୍ଷରୁ ରଖାଯାଇଥିବା ସର୍ତ ଶ୍ରଦ୍ଧାଳୁଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ୪୮ ଘଂଟା ମଧ୍ୟର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ନଚେତ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଆଉ ୧୦ ଦିନ ଅପେକ୍ଷା କରିବାକୁ ଥିବାବେଳେ ଜିଲ୍ଲା ବାହାରର ଶ୍ରଦ୍ଧାଳୁମାନଙ୍କ ପାଇଁ ଆଉ ୨୦ ଦିନ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ଖୋଲିବାକୁ ଯାଉଥିବାରୁ କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସୁନିୟନ୍ତ୍ରିତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ ।