କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।

419

କନକ ବ୍ୟୁରୋ : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକାର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି ।ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି ।

ଯଦି ଦେଖିବେ କର୍ଣାଟକର ଟେକ୍ନିକାଲ୍ ଆଡ଼ଭାଇଜୋରି କମିଟି କହିଛନ୍ତି ଜାନୁଆରୀ ଓ ଫେବୃଆରୀ ରେ କରୋନା ର ସେକେଣ୍ଡ ୱେଭ୍ ଆସିପାରେ କିନ୍ତୁ ଆମ ଓଡ଼ିଶା ରେ କି ଭାରତ ରେ ସେକେଣ୍ଡ୍ ୱେଭ୍ ଆସିବ କି ନାହିଁ ତାହା ନିର୍ଭର କରୁଛି ଆମ ମାନଙ୍କ ଉପରେ । ତେଣୁ ଆମମାନଙ୍କୁ ନିୟମାବଳୀ ମାନିବାକୁ ପଡ଼ିବ । ଭାରତ ରେ କିଛି ସପ୍ତାହ ମଧ୍ୟରେ ଟୀକାକରଣ ଆରମ୍ଭ ହେବ କିନ୍ତୁ ପର୍ୟ୍ୟାୟକ୍ରମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । କିନ୍ତୁ ଟୀକାକରଣ ପରେ ବି ଯେତେ ପର୍ୟ୍ୟନ୍ତ କରୋନା ବିଲୁପ୍ତ ହୋଇନାହିଁ ଆମକୁ ନିୟମ ମାନିବାକୁ ପଡ଼ିବ ।

ଏବେ ପର୍ବ ପର୍ବାଣୀ ଚାଲିଛି, ଆଗକୁ ନୂଆ ବର୍ଷ ଅଛି, ବଡଦିନ ଆସୁଛି, ଶୀତ ଦିନ ଆସିଛି, ଶୀତ ଦିନେ ସଂକ୍ରମଣ ବଢିବା ର ଆଶଙ୍କା ମଧ୍ୟ ଅଛି, ଶୀତ ଦିନେ ପ୍ରଦୂଷଣ ମଧ୍ୟ ବଢ଼ିପାରେ । ତେଣୁ ଏହି ସମୟରେ ଆମେ ସଜାଗ ରହିବା ଉଚିତ୍, ଅସାବଧାନତା ଅବଲମ୍ବନ କରିବା ଜମାବି ଠିକ୍ ନୁହଁ । ସାଢେ ଚାରି କୋଟି ଓଡିଶାବାସୀ ଓ ଶହେତେର କୋଟି ଭାରତବାସୀ ଏତେ ବଳିଦାନ, ତ୍ୟାଗ ପରେ ଆମେ ଯେଉଁ ଯୁଦ୍ଧ ଜିତିବା ପାଇଁ ଯାଉଛୁ, ଆମେ ଯୁଦ୍ଧ ର ଶେଷ ପର୍ୟ୍ୟାୟ ରେ କାହିଁକି ଅସବାଧନତା ରହିବୁ? ତେଣୁ ଆମେ ଏବେ ସମସ୍ତେ ସହଯୋଗ କରିବା ଦରକାର, ସମସ୍ତେ ନିୟମାବଳୀ ମାନିବା ଦରକାର ।

ଦେଖାଯାଉଛି କିଛି ଯୁବ ପିଢି ଭାଇ ଭଉଣୀ ମାନେ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧି ନାହାଁନ୍ତି, ସାମାଜିକ ଦୂରତା ମାନୁ ନାହାଁନ୍ତି, ନିୟମାବଳୀ ପାଳନ କରିନାହାଁନ୍ତି, କିନ୍ତୁ ଏହି ସମୟରେ ସେସବୁ ମାନିବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ, କାରଣ ଆମେ ମାନିଲେ ଆମେ ଯୁଦ୍ଧ କୁ ଜିତିବୁ, ଆମେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇ ରଖିବୁ । ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ, ଆମେ ଯଦି ଏତିକିବେଳେ ପୂର୍ବର ବଳିଦାନ ଓ ତ୍ୟାଗ କୁ ଭୁଲି ଯିବୁ, ଅସାବଧାନ ହେବୁ ତାହାହେଲେ ସଂକ୍ରମଣ ପୁଣି ବଢିବ । ତେଣୁ ସବୁ ନିର୍ଭର କରୁଛି ଆମ ମାନଙ୍କଉପରେ, ଏହି ସମୟ ଅବହେଳା ର ସମୟ ନୁହଁ ।