ନକଲି ମୋବିଲ ପ୍ରସ୍ତୁତ ଘର ଉପରେ ପୋଲିସର ଚଢାଉ: ବଡ ବଡ ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ତେଲ

162

କନକ ବ୍ୟୁରୋ: ବ୍ରାଣ୍ଡ ଅସଲି, ମୋବିଲ ନକଲି । ନାମୀଦାମୀ କମ୍ପାନୀ ନାଁରେ ମିଳୁଛି ନକଲି ତେଲ । ରାଉରକେଲା ବଜାରରେ ବିକ୍ରି ହେଉଥିବା ଅସଲି ବ୍ରାଣ୍ଡର ନକଲି ଅପମିଶ୍ରିତ ଇଞ୍ଜିନ ଅଏଲ କଳାକାରନାମାର ପର୍ଦ୍ଦାଫାଶ କରିଛି ପ୍ଲାଂଟସାଇଟ ପୋଲିସ । ବିଭିନ୍ନ ବଡ଼ ବଡ଼ କମ୍ପାନୀ ନାଁରେ ନକଲି ଇଂଜିନ ଅଏଲ ବିକ୍ରି କରୁଥିବା ଅଭିଯୋଗରେ ତସଲିମ ଆରିଫ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ରାଉରକେଲା ନାଲା ରୋଡ ସ୍ଥିତ ରାଜା ଷ୍ଟ୍ରିଟର ବାସିନ୍ଦା ତସଲିମ ନିଜ ଘରେ ଏପରି କଳାକାରନାମା ଚଳାଇଥିଲେ । ପୋଡା ମୋବିଲ ଓ ଅନ୍ୟାନ୍ୟ ଶସ୍ତା ତେଲ ସଂଗ୍ରହ କରି ରଙ୍ଗ ଓ ରାସାୟନିକ ପଦାର୍ଥ ମିଶାଇ ବଡ଼ ବଡ଼ କମ୍ପାନୀର ବୋତଲରେ ଷ୍ଟିକରିଂ କରି ଏହାକୁ ବିକ୍ରି କରୁଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ ହେବା ପରେ ପ୍ଲାଂଟସାଇଟ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ ମିଳିତ ଭାବେ ଅଭିଯୁକ୍ତ ତସଲିମ ଆରିଫର ଘରେ ଚଢାଉ କରିଥିଲେ । ଏବଂ ୧୨ଶହ ୩୦ ଲିଟର ନକଲି ଲୁବ୍ରିକାଂଟ, ୪୫୦ଲିଟର ବ୍ୟବହୃତ ଅପମିଶ୍ରିତ ମୋବିଲ, ଷ୍ଟିକର ଓ ନକଲି ତେଲ ପ୍ରସ୍ତୁତିରେ ବ୍ୟବହାର ସାମଗ୍ରୀ ଜବତ କରାଯାଇଛି । ଗିରଫ ତସଲିମକୁ କୋର୍ଟ ଚାଲାଣ କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।