ସ୍ନାନପୂର୍ଣ୍ଣିମା ନେଇ ପୋଲିସର ପ୍ରସ୍ତୁତି : ଶ୍ରୀମନ୍ଦିରରେ ଲାଗିଛି ଚାରିପାଖେ ସିସିଟିଭି, ୧୨୪ ସେକ୍ସନ ଫୋର୍ସ ମୁତୟନ 

77

କନକ ବ୍ୟୁରୋ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ବସିଛନ୍ତି ତିନି ଠାକୁର । ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ାକଡ଼ି ପ୍ରସ୍ତୁତି କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଆଇନଶୃଙ୍ଖଳା ଉପରେ ପୁଲିସ ଆଇଜିଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ପୁଲିସ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।

ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ପୁରୀ ସହରରେ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । କେବଳ ଶ୍ରୀମନ୍ଦିର ଭିତରେ ୨୦ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରେ ୯୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ପାଇଁ ୨ ଜଣ କମାଣ୍ଡାଣ୍ଟ, ୮ ଜଣ ଏଏସପି, ୧୧ ଜଣ ଡିଏସପି, ୧୨୨ ଜଣ ଏସ୍ଆଇ ଓ ଏଏସଆଇ, ୧୨ ଜଣ ହାବିଲଦାର, ୧୩୩ ଜଣ କନଷ୍ଟେବଳ ଓ ୧୦୮ଜଣ ହୋମଗାର୍ଡ଼ ନିୟୋଜିତ କରାଯାଇଛି ।

ଶ୍ରୀମନ୍ଦିର ବାହାରେ ଜଣେ କମାଣ୍ଡାଣ୍ଡ, ଜଣେ ଏଏସ୍ପି, ୪ ଜଣ ଡିଏସ୍ପି, ୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୪ ଜଣ ହାବିଲଦାର, ୧୦ ଜଣ ଟ୍ରେନି ହାବିଲଦାର, ୧୧୯ ଜଣ କନଷ୍ଟେବଳ, ୪୪ ଜଣ ଟ୍ରେନି କନଷ୍ଟେବଳ, ୩୮୦ ଜଣ ହୋମଗାର୍ଡ଼ ନିୟୋଜିତ ହୋଇଛନ୍ତି । ଆତଙ୍କବାଦୀ ଆକ୍ରମଣ ଅବା ଅନ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ଚାରିପାଖରେ ସିସିଟିଭି ଲଗାଯାଇଛି । ୪ ଜଣ ସାଧା ପୋଷାକଧାରୀ ଦଳଙ୍କୁ ଶ୍ରୀମନ୍ଦିର ଭିତରେ ନିୟୋଜିତ କରାଯାଇଛି । ୬ଟି ଆଣ୍ଟି ସାବୋଟେଜ୍ ଟିମ୍, ଗୋଟିଏ ଏସଟିୟୁ ୟୁନିଟକୁ ବି ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ଜରୁରୀକାଳୀନ ପରିସ୍ଥିତି ଏଡ଼ାଇବା ପାଇଁ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଛି । ବେଳାଭୂମିରେ ଭକ୍ତଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ଲାଇଫ ଗାର୍ଡ଼ଙ୍କୁ ମୁତୟନ କରାଯାଇଛି ।