ମାଓ ସଂଗଠନକୁ ବଡ ଧରଣର ଝଟକା ! ପୁଲିସ୍ କବଜାରେ ମାଓ ଦମ୍ପତି । ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ର ସୀମାରେ ରଚୁଥିଲେ ଆତଙ୍କ

28

କନକ ବ୍ୟୁରୋ: ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିବା ଟପ୍ ମାଓନେତା ରାମାନ୍ନା ଏବେ ପୁଲିସ୍ କବଜାରେ । ଏକାଧିକ ମାଓ ହିଂସା କାର୍ଯ୍ୟକଳାପରେ ସାମିଲ ଥିବା ରାମାନ୍ନା ନାଁରେ ଥିଲା ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଛତିଶଗଡ଼ ପୁଲିସ୍ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ମହାରାଷ୍ଟ୍ର ପୁଲିସ୍ ରଖିଥିଲା ୨୫ ଲକ୍ଷର ମୁଣ୍ଡ ଜାମିନ୍ । ଆଜି ମହାରାଷ୍ଟ୍ର ପୁଲିସ ମାଓନେତା ରାମାନ୍ନା ଏବଂ ତାଙ୍କ ପତ୍ନୀ ମୟୁରୀଙ୍କୁ ଗିରଫ କରିଛି ।

ପୁଲିସ୍ କବଜାରେ ମାଓ ଦମ୍ପତି । ଆତ୍ମସମର୍ପଣ ପୂର୍ବରୁ ଗିରଫ କରିଛି ପୁଲିସ । ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ କମିଟିର ସଚିବ ରାମାନ୍ନା ଓ ତାଙ୍କ ପତ୍ନୀ ଆତ୍ମସମର୍ପଣ ପାଇଁ ଆନ୍ଧ୍ର ପୋଲିସ ସହ ଯୋଗାଯୋଗରେ ଥିଲେ । କିନ୍ତୁ ତାପୂର୍ବରୁ ଗୁଇନ୍ଦା ସୁତ୍ରରୁ ଖବର ପାଇଁ ଏହି ମାଓ ଦମ୍ପତିଙ୍କୁ ମହାରାଷ୍ଟ୍ରର ଗଢଚିରୋଲିରୁ ଗିରଫ କରିଛି ।

ଏଠାରେ ଆମେ କହି ରଖୁଛୁ କି, ୨୦୧୩ ଦରଭା ଆକ୍ରମଣ, ତାଡମେଟଲା ଆକ୍ରମଣ ଭଳି ବଡ ବଡ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ ରାମାନ୍ନା । ୧୯୯୫ ମସିହାରୁ ମାଓ ସଙ୍ଗଠନର ଟେକନିକାଲ ୱିଙ୍ଗର ମୁଖ୍ୟ ଭାବେ ଦାୟୀତ୍ୱ ତୁଳାଇ ଆସୁଥିଲେ । ଅତ୍ୟାଧୁନିକ ବନ୍ଧୁକ ଚାଲଣା ସହ ବୋମା ବିସ୍ଫୋରଣରେ ମାହିର ଥିଲେ ରାମାନ୍ନା । ମାଓ ସଙ୍ଗଠନ ପାଇଁ ରାଇଫଲ ନିର୍ମାଣ ଏବଂ ବୋମା ତିଆରିର ପରିଚାଳନା କରୁଥିଲେ ଏହି ଟପ୍ ମାଓବାଦୀ । ସେପଟେ, ଛତିଶଗଡ଼ର ବିଭିନ୍ନ ଅଂଚଳରେ ସକ୍ରିୟ ଥିବା ରାମାନ୍ନାଙ୍କ ପତ୍ନୀଙ୍କ ନାଁରେ ବି ଘୋଷଣା ହୋଇଥିଲା ୬ ଲକ୍ଷର ପୁରସ୍କାର ରାଶି । ଯିଏକି ଏକାଧିକ ହିଂସାକାଣ୍ଡରେ ସାମିଲ ଥିଲେ ।