ରିଲ୍ ଲାଇଫର‘ବାହୁବଲୀ’ଙ୍କ ବାପା ଗିରଫ ! ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

30

ସିନେମା ‘ବାହୁବଲୀ’ର ଲୋକପ୍ରିୟତା ବିଷୟରେ ସମସ୍ତେ ଜାଣନ୍ତି । ବାହୁବଲୀର ଦୁଇଟି ଯାକ ଭାଗ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା ଓ ଅନେକ ରେକର୍ଡ଼ ମଧ୍ୟ ସୃଷ୍ଟି କରିଥିଲା । ଏହି ସିନେମା ଯୋଗୁଁ ଅନେକ କଳାକାର ବେଶ ଲୋକପ୍ରିୟ ହୋଇପାରିଥିଲେ । ତେବେ ବର୍ତ୍ତମାନ ଏହି ସିନେମାର ଜଣେ ଅଭିନେତା ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଲୋକପ୍ରିୟ ସିନେମା ‘ବାହୁବଳୀ’ରେ ମହତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଟଲିଉଡ ଅଭିନେତା ଭେଙ୍କଟା ପ୍ରସାଦଙ୍କୁ ହାଇଦ୍ରାବାଦରେ ଗିରଫ କରାଯାଇଛି । ଭେଙ୍କଟା ପ୍ରସାଦ ‘ବାହୁବଲୀ’ ସିନେମାରେ ବାହୁବଲୀଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ । ମାତ୍ର ଏହି ସିନେମାରେ ତାଙ୍କର ଭୂମିକା ବହୁତ୍ କମ୍ ଥିଲା ।

ଭେଙ୍କଟାଙ୍କ ଉପରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ବଞ୍ଜାରା ହିଲ୍ସ ପୁଲିସ ଏହି ମାମଲାକୁ ତଦନ୍ତ କରି ସୂଚନା ଦେଇଛି, ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ଭେଙ୍କଟାଙ୍କୁ ଗିରଫ କରାଯାଇଛି । ଏହି ମହିଳା ଜଣକ ଅଭିନେତାଙ୍କ ଉପରେ ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିବା ଆରୋପ ଲଗାଇଛନ୍ତି । ଭେଙ୍କଟା ପ୍ରସାଦ ଅଭିନେତା ହେବା ସଙ୍ଗେ ସଙ୍ଗେ ଆଇଏମଏଏଫ ସଂସ୍ଥାର ମ୍ୟାନେଜର ମଧ୍ୟ ଥିଲେ । ଏହି ମାମଲାରେ ପୀଡିତା ଜଣକ କହିଛନ୍ତି, ‘ଯେତେବେଳେ ମୁଁ ପ୍ରସାଦଙ୍କୁ ବିବାହ କରିବା କଥା କହିଥିଲି ସେ ଆମ ସମ୍ପର୍କକୁ ପୂର୍ଣ୍ଣ ରୂପେ ଅସ୍ୱୀକାର କରଦେଇଥିଲେ ଓ ଧମକ ଚମକ ଦେଇଥିଲେ ।’ ତେବେ ଅଭିଯୋଗ ପରେ ପୋଲିସ, ଆଇପିଏସ ଧାରା ଅନୁସାରେ ପ୍ରସାଦଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଏକ ନ୍ୟୁଜ ସାଇଟ ଅନୁସାରେ ୩୩ବର୍ଷୀୟ ପୀଡିତା ଆଇଏମଏଏଫରେ ପ୍ରସାଦଙ୍କ ସହ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଲଗାତାର ୭ବର୍ଷ ପର୍ଯ୍ୟନ୍ତ ପ୍ରସାଦ ମହିଳାଙ୍କୁ ଶୋଷଣ କରିଥିଲେ । ମାତ୍ର ଯେତେବେଳେ ମହିଳା ଜଣକ ବିବାହ କଥା ଉଠାଇଥିଲେ ସେ ମହିଳାଙ୍କ ଠାରୁ ପିଛା ଛଙ୍ଗାଇବା ଲାଗି ପ୍ରୟାସ କରିଥିଲେ । ଏବଂ ଜୀବନରେ ମାରିଦୋବକୁ ଧମକ ମଧ୍ୟ ଦେଇଥିଲେ । ଭେଙ୍କଟା ପ୍ରସାଦଙ୍କୁ ଗିରଫ ପରେ ରିମାଣ୍ଡରେ ପଠାଇ ଦିଆଯାଇଛି । ପୁଲିସଙ୍କ କହିବା ମୁତାବକ ମହିଳା ଜଣକ ଦୋଷୀଙ୍କ ବିରୁଦ୍ଧରେ ଯେଉଁ ଆରୋପ ଲଗାଇଛନ୍ତି ପ୍ରଥମେ ଏହାର ଛାନଭିନ୍ କରାଯିବ । ଏହାପରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ।