ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା : ଆସନ୍ତାକାଲିଠାରୁ ଆରମ୍ଭ ହେବ ଶିଖର ସମ୍ମିଳନୀ; ୪୮ ଘଣ୍ଟା ପାଇଁ ସାରା ବିଶ୍ୱର ନଜରରେ ରହିବ ଭାରତ

176

କନକ ବ୍ୟୁରୋ : ଜି-୨୦ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ଦେଶର ସବୁଠୁ ବଡ଼ ଇଣ୍ଡୋର ହଲ୍ ଅର୍ଥାତ ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଏକାଠି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମଥର ପାଇଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆମାନେ ଦିଲ୍ଲୀରେ ଏକାଠି ହେବେ । ସେହିପରି ଦିଲ୍ଲୀ ସୁରକ୍ଷାର ଅଭେଦ୍ୟ ବଳୟ ଭିତରେ ରହିଛି । ୪୮ ଘଣ୍ଟା ପାଇଁ ପୂରା ବିଶ୍ୱର ନଜର ଭାରତ ମଣ୍ଡପମ୍ ଉପରେ ରହିବ ।

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦିଲ୍ଲୀ ପହଞ୍ଚିବେ । କିଛି ରାଷ୍ଟ୍ରର ମୁଖ୍ୟ ଏବେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଭାରତ ଆସିବାକୁ ଥିବା ନେତାଙ୍କ ମଧ୍ୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରଥମଥର ଭାରତ ଆସିବେ । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ବି ଭାରତ ଆସୁଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ ନାହିଁ । ତାଙ୍କ ସ୍ଥାନରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ଭାରତ ଆସୁଛନ୍ତି । ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଦଳରେ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଉପସ୍ଥିତ ରହିବେ ।

ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ଭାରତ ମଣ୍ଡପମ୍ ୧୨୩ ଏକର ଜମିରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଦେଶର ସବୁଠୁ ବଡ଼ କନଭେନସନ୍ ସେଂଟରରେ ଏକସଙ୍ଗେ ୧୦ହଜାର ଲୋକ ବସିପାରିବାର କ୍ଷମତା ରହିଛି ।

ଭାରତ ମଣ୍ଡପମ ପରିସରରେ ନଟରାଜର ସବୁଠୁ ଉଚ୍ଚତମ ପ୍ରତିମା ସ୍ଥାପନ କରାଯାଇଛି । ଏହି ପ୍ରତିମା ବିଶ୍ୱର ସବୁଠୁ ବଡ଼ ପ୍ରତିମା ଯାହାର ଉଚ୍ଚତା ୨୭ ଫୁଟ୍ ଓ ଚଉଡ଼ା ୨୧ ଫୁଟ୍ । ସେହିପରି ଭାରତ ମଣ୍ଡପମରେ ୨୬ ପ୍ୟାନେଲ ଡିଜିଟାଲ ଦ୍ୱାର ଖୋଲା ରହିଛି । ଏଡି ପ୍ୟାନେଲ୍ରେ ଭାରତୀୟ ଲୋକତନ୍ତ୍ରର କାହାଣୀ ପ୍ରଦର୍ଶିତ କରାଯିବ । କାର୍ଯ୍ୟକ୍ରମରେ ସାମିଲ ନେତାଙ୍କୁ ସ୍ୱାଗତ କରିବାକୁ ଏଆଇ ଆଙ୍କର ନିୟୋଜିତ କରାଯାଇଛି ।