ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସୁରକ୍ଷାରେ ନିୟୋଜିତ ହେବ ‘ଦ ବିଷ୍ଟ୍’ । ଜାଣନ୍ତୁ, ଏହି କାର ବିଷୟରେ କିଛି ଖାସ୍ କଥା …

215

କନକ ବ୍ୟୁରୋ: ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟାରେ ସେ ନୂଆଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତେବେ ଆମେରିକା ରାଷ୍ଟ୍ରପତି ଭାରତ ଆସୁଥିବାରୁ, ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି । କୁହାଯାଉଛି ୩୦୦ ସ୍ପେଶାଲ କମାଣ୍ଡୋ ବାଇଡେନଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ଖାଲି ସେତିକି ନୁହେଁ, ବାଇଡେନଙ୍କ କାରକେଡରେ ୫୦ଟି ଗାଡି ସାମିଲ ହେବ ବୋଲି ସୂଚନା ମିଳିଛି । ଯାହା ଭିତରେ ରହିଛି ସବୁଠୁ ସୁରକ୍ଷିତ କାର ଦ ବିଷ୍ଟ୍ ।

ଜାଣନ୍ତୁ, ଏହି କାର୍ କେତେ ଖାସ୍?

ଅନେକ ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତିଙ୍କ କାର ଖାସ୍ ଅଠେ । କୁହାଯାଏ ଏହା ହେଉଛି ବିଶ୍ୱର ସବୁଠୁ ସୁରକ୍ଷିତ କାର । ଏହି କାର ଉପରେ ଇଆଇଡି ଏବଂ କେମିକାଲ ଆକ୍ରମଣର କୌଣସି ପ୍ରଭାବ ପଡିନଥାଏ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ କାର ନମ୍ବର ହେଉଛି ୪୬ । ଯାହାକି ସୂଚନା ଦେଇଥାଏ ଯେ, ବାଇଡେନ୍ ହେଉଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି ।

ସୂଚନା ମୁତାବକ, ଏହି କାରକୁ ଆକ୍ରମଣକାରୀମାନେ ଆକ୍ରମଣ କଲା ପରେ ଯଦି ଏହାକୁ ଛୁଅନ୍ତି ତେବେ ସେମାନଙ୍କୁ ୧୨୦ ଭୋଲ୍ଟର ଝଟକା ଲାଗିଥାଏ । ଏହି କାର ଉପରେ ବମ୍ ବିସ୍ଫୋରଣର କୌଣସି ପ୍ରଭାବ ପଡିନଥାଏ । କୌଣସି ପ୍ରକାର ଅଘଟଣରୁ ବଞ୍ଚିବା ପାଇଁ ଏହି କାରର ବଡି ଉପରେ ୮ ଇଞ୍ଚ ମୋଟାର ମେଟାଲ ବ୍ୟବହାର କରାଯାଇଛି । ଯାହାକି ବୁଲେଟ୍ ପ୍ରୁଫ୍ ଅଟେ । ଖାଲି ସେତିକି ନୁହେଁ, ଏହି କାରଟି ଆଖି ପିଛୁଳାକେ ଶହେ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡରେ ଚାଲିପାରେ ।

ଆମେରିକା ରାଷ୍ଟ୍ରପତି ଦୁନିଆର କୌଣସି ଦେଶକୁ ବି ଗଲେ, ତାଙ୍କ ସହ ଏହି କାର ମଧ୍ୟ ଯାତ୍ରା କରିଥାଏ । ସୂଚନା ମୁତାବକ, ଏହି କାରର ମୂଲ୍ୟ ହେଉଛି ୧୨ କୋଟି ୪୭ ଲକ୍ଷ । ଏହି ଗାଡି ଭିତରେ ସମସ୍ତ ଜରୁରୀ ଜିନିଷପତ୍ର ରହିଥିବାବେଳେ, ରାଷ୍ଟ୍ରପତିଙ୍କ ବ୍ଲଡ୍ ଗ୍ରୁପର ମେଳ ଖାଉଥିବା ରକ୍ତ ମଧ୍ୟ ଗଚ୍ଛିତ ହେଇ ରହିଥାଏ । ଏହି କାରଟି ସମ୍ପୂର୍ଣ୍ଣ ଭାବେ ସାଉଣ୍ଡ ପ୍ରୁଫ୍ ମଧ୍ୟ ।

ଆମେରିକା ରାଷ୍ଟ୍ରପତିଙ୍କ କାରକେଡ୍ ବେଶ ବିଶାଳ ଅଟେ । ବିଭିନ୍ନ ପ୍ରକାର ଗାଡି ବାଇଡେନଙ୍କ କାରକେଡରେ ରହିଥିବାବେଳେ, ସେ ନିଜେ ଏହି ବିଷ୍ଟରେ ଯାତ୍ରା କରିଥାନ୍ତି । ତେବେ ଇଟାଲୀ ଗସ୍ତ ସମୟରେ ବାଇଡେନଙ୍କ କାରକେଡରେ ପ୍ରାୟ ୮୫ଟି ଗାଡି ସାମିଲ ଥିଲା । ନଚେତ୍ ସାଧାରଣ ସମୟରେ ଏହି ସଂଖ୍ୟା ୫୦ ରହିଥାଏ ।