ଆଜି ବି ଜାରି ରହିବ ପ୍ରଚଣ୍ଡ ତାତି । ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୨ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

ବିଶ୍ୱର ୧୦ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଲା ଓଡିଶାର ୩ ସହର ।

468

କନକ ବ୍ୟୁରୋ: ଆକାଶରୁ ନିଆଁ ବର୍ଷା । ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଗତକାଲି ବିଶ୍ୱର ୧୦ ଉତପ୍ତ ସହର ତାଲିକାରେ ଓଡିଶାର ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱର ସ୍ଥାନ ପାଇଛି । ସେପଟେ ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଦେଇଛି ପାଣିପାଗ ବିଭାଗ । ଆଜିଠୁ ଆହୁରି ୨ ଦିନ ସିଭିୟର ହିଟ ୱେଭ ବା ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏସବୁ ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ , ଯାଜପୁର, କଟକ ଓ ବୌଦ୍ଧ । ଏହି ୧୧ ଜିଲ୍ଲାରେ ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିପରି ରାଜ୍ୟର ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ ଅଲର୍ଟର ସତର୍କତା ଥିବା ବେଳେ ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ମେ ୫ ତାରିଖରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଗତକାଲି ତାପମାତ୍ରା ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ବାରିପଦାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଦଶମିକ ୪ଡିଗ୍ରୀ ରେକର୍ଡ କରାଯାଇଛି । ଏହା ବାରିପଦାର ସର୍ବକାଳୀନ ରେକର୍ଡ । ଏହା ପୂର୍ବରୁ ଏପ୍ରିଲ ୨୧, ୨୦୧୦ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଥିଲା । ବାରିପଦା ପରେ ବାଲେଶ୍ୱରରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୪୫ ଦଶମିକ ୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ଏପ୍ରିଲ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ୧୧ଏପ୍ରିଲ ୨୦୧୬ରେ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୮ଡିଗ୍ରୀ ରେକର୍ଡ କରାଯାଇଥିଲା । ଯାହାକି ଏପ୍ରିଲ ମାସରେ ଭୁବନେଶ୍ୱରରେ ସର୍ବକାଳୀନ ରେକର୍ଡ ।