ଆଉ ଦେଖିବାକୁ ମିଳିବନି ପିଣ୍ଟୁଙ୍କ ଅଭିନୟର ଯାଦୁ । ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଜିଣିଥିଲେ ଦର୍ଶକଙ୍କ ମନ ।

307

କନକ ବ୍ୟୁରୋ : ପରପାରିରେ ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ପିଣ୍ଟୁ ନନ୍ଦଙ୍କ ଅଭିନୟ । ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଂଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚିତ ପିଂଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ପିଣ୍ଟୁ । ୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସବୁ ଭୂମିକାରେ ଅଭିନୟ କରିଛନ୍ତି । ୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଂଟୁ ।

ସେହିପରି ଜୟ ଜଗନ୍ନାଥ ଚଳଚିତ୍ରରେ ବଳଭଦ୍ର ଭୂମିକାରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଂଟିଥିଲେ । ‘ମା’ ଗୋଜବାୟାଣୀ’, ‘ବାହୁଡିବେ ମୋ ଜଗାବଳିଆ’, ‘ସାଥୀରେ’, ‘ରଖିବ ଯଦି ସେ ମାରିବ କିଏ’, ‘ଓ ମାଇଁ ଲଭ୍’, ‘ରକତେ ଲେଖିଛି ନା’, କାଳୀଶଙ୍କର ଭଳି ଫିଲ୍ମରେ ନିଜ କଳାର ଯାଦୁ ଦେଖାଇଥିଲେ ପିଂଟୁ । ସେହିପରି ପିଂଟୁ ୨୦୦୬ରେ ‘ପ୍ରେମ ଋତୁ ଆସିଲାରେ’ ୨୦୧୧ରେ ‘ଦୋସ୍ତି’, ୨୦୧୩ରେ ‘ହାତ ଧରି ଚାଲୁଥା’, ୨୦୧୭ରେ ‘ରୁମକୁ ଝୁମାନା’, ୨୦୧୭ରେ ‘କଥା ଦେଲି ମଥା ଛୁଇଁ’ ଓ ‘ରଙ୍ଗ ନମ୍ବର’ ଭଳି ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୨୨ରେ ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏଥିସହ ସେ ଓଡ଼ିଆ ଧାରାବାହିକ ‘ଶଙ୍ଖାସିନ୍ଦୁର’ରେ ମଧ୍ୟ ଅଭିନୟ କରିଥିଲେ । ‘ଗୃହଲକ୍ଷ୍ମୀ’ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ କାର୍ଯ୍ୟ କରିଥିଲେ ପିଂଟୁ ।