ଦିନେ ଭାରତ ପାଇଁ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ଧରି ଧାଉଁଥିଲେ, ଆଜି ଅବହେଳା ପରେ ଚା ବଗିଚାରେ ଦିନ ମଜୁରିଆ ସାଜିଲେ । ମୂଲ ଲାଗୁଛନ୍ତି ପିଙ୍କି କରମାକର ।

380

କନକ ବ୍ୟୁରୋ: ମୂଲ ଲାଗୁଛନ୍ତି ମଶାଲ ବାହକ । ଚା ବଗିଚାରେ ସାଜିଛନ୍ତି ଶ୍ରମିକ । ସେବେ ସାବାସୀ ପାଇଥିଲେ, ଏବେ ଶ୍ରମିକ ସାଜିଲେ । ଦିନେ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ବାହିକା ବନିଥିବା ଯୁବତୀ ଆଜି ଚା ବଗିଚାରେ ବନିଛନ୍ତି ଦିନ ମଜୁରିଆ । ଖଟିଲେ ଖାଉଛନ୍ତି, ମୂଲ ଲାଗି ଘର ଚଳାଉଛନ୍ତି । ଦିନକୁ ଦେଢ ଶହରୁ ୨୦୦ ଟଙ୍କା ଯାଏଁ ମଜୁରୀ ପାଇ ପେଟ ପୋଷୁଛନ୍ତି ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ମଶାଲ ବାହିକା ପିଙ୍କି କରମାକର ।

ଯେତେବେଳେ ଟୋକିଓ ଅଲିମ୍ପିକ୍ସରେ ଭାରତ ସୁନାପୁଅଝିଅଙ୍କ ଭଲ ପ୍ରଦର୍ଶନକୁ ଦେଖି ଦେଶ ଖୁସି ମନାଉଛି । ସଫଳ ବ୍ୟକ୍ତିତ୍ୱଙ୍କୁ ଶୁଭେଚ୍ଛାର ସୁଅ ସହ ସେମାନଙ୍କ ଉପରେ ପୁରସ୍କାର ବର୍ଷା ହେଉଛି ଠିକ୍ ସେତିକିବେଳେ ଆସାମରୁ ଆସିଛି ଆଉ ଜଣେ ଅଲିମ୍ପିକ୍ସ ମଶାଲ ବାହକଙ୍କ ଦୁଃଖ, କଷ୍ଟର ସଙ୍ଘର୍ଷଭରା କାହାଣୀ ।

ଆଜିର ଆଥଲେଟ ପରି ପିଙ୍କି ବି ଦିନେ ଦେଶ ପାଇଁ ଗର୍ବ ପାଲଟିଥିଲେ । ୯ ବର୍ଷ ତଳେ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ପିଙ୍କି । ନଟିଂହାମରେ ଯେବେ ମଶାଲ ଧରି ପିଙ୍କି ଦୌଡୁଥିଲେ ସେବେ ଭାରତର ଝିଅକୁ ଦେଖୁଥିଲା ପୂରା ବିଶ୍ୱ । ଏମିତିକି ପିଙ୍କି ଯେବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ସେବେ ତାଙ୍କୁ ଏମିତି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଯେମିତି ସେ ଦେଶ ପାଇଁ ମେଡାଲ ଧରି ଫେରିଛନ୍ତି । ନେତା ମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ପିଙ୍କିଙ୍କ ଘରେ ଲମ୍ବା ଲାଇନ କରି ଶୁଭେଚ୍ଛା ସହ ସାହାଯ୍ୟ ସହଯୋଗର ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲେ । ହେଲେ ୯ ବର୍ଷ ହେଲା ସେ ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇଛି ପିଙ୍କିଙ୍କ ପାଇଁ ଆଉ ଅବହେଳାର ଅଭାବୀ ଗଳି ଭିତରେ ଅଟକି ଯାଇଛି ପିଙ୍କିଙ୍କ ଭାଗ୍ୟ ।

ପିଙ୍କିଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା ଆଉ ସେ ୧୦ମ ଶ୍ରେଣୀରେ ପଢୁଥିଲେ ସେବେବେଳେ ୟୁନିସେଫ ପାଇଁ କାମ କରୁଥିଲେ । ପିଲାଙ୍କୁ ପଢାଇବା ସହ ସ୍ଥାନୀୟ ମହିଳାଙ୍କୁ ସଶକ୍ତିକରଣ କରୁଥିଲେ ପିଙ୍କି । ଯେଉଁଥିପାଇଁ ତାଙ୍କୁ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ବାହକ ଭାବେ ଚୟନ କରାଯାଇଥିଲା । ଏତେ କମ ବୟସରୁ ପିଙ୍କିଙ୍କୁ ଏତେ ବଡ ସୁଯୋଗ ମିଳିବା ପରେ ସେ ନିଜ ସୁନେଲୀ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ନିଜକୁ ଆଥଲେଟ ସଜାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ହେଲେ ସମୟ ସାଥ ଦେଇନଥିଲା । ଭାଗ୍ୟ ତାଙ୍କ ଭବିଷ୍ୟତର ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଇଥିଲା । ମାଆଙ୍କ ଅକାଳ ବିୟୋଗ ପରେ ତାଙ୍କୁ ପାଠ ପଢା ଛାଡିବାକୁ ପଡିଲା । ବାପା ବୟସର ଅପରାହ୍ଣରେ ପାଦଦେବା ପରେ ଘରର ଦାୟିତ୍ୱ ପିଙ୍କିଙ୍କୁ ନେବାକୁ ପଡିଲା । ଆଉ ତାପରେ ଚା ବଗିଚାରେ ମୂଲ ଲାଗିବା ଆରମ୍ଭ କରିଦେଲେ ପିଙ୍କି ।

ତାଙ୍କୁ ୯ ବର୍ଷ ଧରି ଅବହେଳା କରାଯାଇଥିବା ନେଇ ଅଭିଯୋଗ କରିବା ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିଙ୍କି । ୨୦୧୨ ପରେ ମୁଁ କଣ ଅଯୋଗ୍ୟ ହୋଇଗଲି ? ସ୍ୱପ୍ନ ଦେଖାଇ କଣ ପାଇଁ ସ୍ୱପ୍ନ ଭାଙ୍ଗିଦେଲ? ସେଦିନ ସାବାସୀ ଜଣାଇ, ପ୍ରତିଶ୍ରୁତି ଦେଇ କଣ ପାଇଁ ଶ୍ରମିକ କରିଦେଲ? ଜବାବ ଦିଅ ସରକାର ଜବାବ ଦିଅ? ଅଣଦେଖା ପରେ ଅଭାବ ତାଙ୍କୁ ଦିନମଜୁରିଆ କରିଦେବା ପରେ କିଛି ଏମିତି କ୍ଷୋଭ ପ୍ରକାଶ କରିଛନ୍ତି ପିଙ୍କି କରମାକର ।